ଭଞ୍ଜନଗର: ଶ୍ରାବଣରେ ଗ୍ରୀଷ୍ମର ପ୍ରଭାବ, ଶୁଖିଲା ପଡିଛି ଜଳ ଭଣ୍ଡାର; ହୋଇ ନାହିଁ କେନାଳ ସଫା

ଭଞ୍ଜନଗର ୦୫/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଚାଷ କାର୍ଯ୍ୟ ଭଲ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ବିଗତ କିଛିଦିନରେ ପାଣିପାଗକୁ ଅନୁମାନ କଲେ ଏହା ଓଲଟା ହେଲା ଭଳି ଲାଗିଲାଣି। ଶ୍ରାବଣରେ ଲଗାଣ ବର୍ଷା ହେବା କଥା। ହେଲେ ପାଣିପାଗରେ ବଡ଼ ପରିବର୍ତ୍ତନ ଘଟି ଶ୍ରାବଣରେ ଲୋକେ ଗ୍ରୀଷ୍ମ ଭଳି ଅନୁଭବ କରୁଛନ୍ତି।

ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୩୨ ଡିଗ୍ରୀ ଥିବାବେଳେ ଟାଣ ଖରା ଯୋଗୁ ତାହା ୪୦ ଡିଗ୍ରୀ ଭଳି ଲୋକେ ଅନୁଭବ କରୁଥିଲେ। ବିଗତ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ ଯୋଗୁ ଭଞ୍ଜନଗର ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ବର୍ଷା ହେଉ ନାହିଁ। ଏହାର ପ୍ରଭାବ ଧାନ ଚାଷ, ମତ୍ସ୍ୟ ଚାଷ, ଚାରା ରୋପଣ ଉପରେ ପଡୁଛି।

ବର୍ଷା ଠିକ୍‌ ଭାବେ ନ ହେବାରୁ ଜମିଗୁଡିକରେ ରୁଆ କାର୍ଯ୍ୟ ହୋଇପାରୁ ନାହିଁ। ଭଞ୍ଜନଗର ବ୍ଲକରେ ୨୪ ହଜାର ହେକ୍ଟର ଜମି ଅଛି। ସେଥିରୁ ୮ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି। ହେଲେ ବର୍ଷା ନ ହେବା ଯୋଗୁ ଭଞ୍ଜନଗର, ଡହ, ସୋରଡ଼ା ଏବଂ ବାଘୁଆ ଜଳଭଣ୍ଡାର ଶୁଖିଲା ପଡ଼ିଛି।

ଭଞ୍ଜନଗର, ସୋରଡ଼ା ଏବଂ ଡହ ଜଳଭଣ୍ଡାରରେ ୪୦ ପ୍ରତିଶତ ପାଣି ମହଜୁଦ ଅଛି। କିନ୍ତୁ ବାଘୂଆରେ ମାତ୍ର ୨୦ ପ୍ରତିଶତ ପାଣି ରହିଛି। ଏତେ କମ୍‌ ପାଣି ଥିବା ବେଳେ ବର୍ତ୍ତମାନ ଚାଷ କାର୍ଯ୍ୟକୁ ପାଣି ଛାଡ଼ିବା ପାଇଁ ଚାଷୀମାନେ ଦାବି କରୁଛନ୍ତି । ଅନ୍ୟପକ୍ଷେ କେନାଲଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଚଳିତ ବର୍ଷ ୧୦୭ଟି ଟେଣ୍ଡର ହୋଇଛି। କିନ୍ତୁ କେଉଁଠି କାମ ହୋଇଛି ଆଉ କେଉଁଠି କାମ ହୋଇ ନ ଥିବା ଜଣାପଡିଛି।

ବର୍ଷା ପୂର୍ବରୁ କେନାଲ ମରାମତି ସରିବା କଥା । ଇତିମଧ୍ୟରେ ବର୍ଷା ମାସ ଅଧା ହେଲାଣି। ଅଥଚ କେନାଲ ସଫେଇ ପ୍ରତି ବିଭାଗ କେତେକ ସ୍ଥାନରେ ଦୃଷ୍ଟି ଦେଇନାହିଁ। ଏନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜଳସମ୍ପଦ ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଶ୍ରାବଣରେ ଆବଶ୍ୟକ ବର୍ଷା ନ ହେବାରୁ ସମସ୍ୟା ଉପୁଜିଛି। ଆଗକୁ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଯେଉଁଠି କେନାଲ ମରାମତି ହୋଇନାହିଁ ତାହା କିଭଳି ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *