
ପାରଳାଖେମୁଣ୍ଡି(ଗଜପତି) : ପୁଣି ଅନ୍ଧବିଶ୍ବାସରେ ଅନ୍ଧ ସାଜିଲା ମଣିଷ । ଗୁଣିଗାରେଡି ସନ୍ଦେହରେ ଯୁବକଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ ଫଳରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ଘଞ୍ଚ ଜଙ୍ଗଲରେ ପୋତି ଦିଆଯାଇଥିଲା । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ପଞ୍ଚାୟତ କୁସୁମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ମୋହନା ଥାନା ଆଇଆଇସି ବସନ୍ତ ସେଠୀ କହିଛନ୍ତି, “ଯୁବକଙ୍କ ମୃତ୍ୟୁ ପରେ ମୃତଦେହକୁ ନେଇ କିଛି ଲେକ ଗାଁଠାରୁ ଅଢେଇ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲରେ ପୋତି ଦେଇଥିଲେ । ସ୍ଥାନୀୟ ତହସିଲ, ସାଇଣ୍ଟିଫିକ୍ ଟିମ ଓ ପୋଲିସଙ୍କ ଉପସ୍ଥିତିରେ ମୃତଦେହ ପୋତାଯାଇଥିବା ସ୍ଥାନ ଖୋଳାଯାଇଛି । ଏହି ଘଟଣାରେ 8 ଜଣଙ୍କୁ ଅଟକ ରଖାଯାଇଛି । ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଛି । ତେବେ ଗୁଣି ଗାରେଡ଼ିକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ ।”
ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ:
ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ ନାମକ ଜଣେ ଯୁବକ ପାଖାପାଖି 8 ମାସ ହେବ ମୋହନା ଥାନା ଚାନ୍ଦିପୁଟ ପଞ୍ଚାୟତ କୁସୁମପୁର ଗାଁରେ ରହୁଥିଲେ । ସେଠାରେ (କ୍ବାକ୍) ଚେରମୂଳିରେ ବିଭିନ୍ନ ଔଷଧ ପ୍ରସ୍ତୁତ କରି ସ୍ଥାନୀୟବାସୀଙ୍କୁ ଚିକିତ୍ସା କରୁଥିଲେ । ଗାଁର ଏକ 11 ବର୍ଷର ଜଣେ ପୁଅ ପିଲାକୁ କୁକୁର କାମୁଡିବା ପରେ ତାର ଚିକିତ୍ସା ପାଇଁ କରୁଣାକର ପାଖକୁ ଯାଇଥିଲେ । କିନ୍ତୁ ସେଠାରେ ପିଲାଟିର ମୃତ୍ୟୁ ହେବାରୁ, ଗାଁ ଲୋକଙ୍କ ମଧ୍ୟରେ ଗୁଣି ଗାରେଡ଼ି ସନ୍ଦେହ ସୃଷ୍ଟି ହୋଇଥିଲା । କରୁଣାକର ଗୁଣିଗାରେଡି କରି ପିଲାଟିକୁ ମାରିଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ । ଏନେଇ ଗତ ଜୁଲାଇ 28 ତାରିଖରେ କିଛି ଲୋକ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କରୁଣାଙ୍କ ହାତ ଗୋଡ଼ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଗାଁ ଲୋକେ ମୃତଦେହକୁ ନେଇ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ । ଏନେଇ କରୁଣାକରଙ୍କ ପରିବାର ଲୋକ ଖବର ପାଇବା ପରେ ମୋହନା ଥାନାରେ ଅଭିଯୋଗ କରିଥିଲେ ।
କରୁଣାକରଙ୍କ ସମ୍ପର୍କୀୟ କହିଛନ୍ତି, “କରୁଣାକରଙ୍କୁ ହତ୍ୟା କରାଯାଇଥିବା ନେଇ ମୁଁ ଶୁଣିବାକୁ ପାଇଲି । ଗୁଣିଗାରେଡି ସନ୍ଦେହରେ କିଛି ଲୋକ ମିଶି ତାଙ୍କୁ ମାରିଦେଇଛନ୍ତି । ଦୋଷୀଙ୍କୁ କଡ଼ା ଦଣ୍ଡ ଦାଆଯାଉ
ମୃତଦେହ ଉଦ୍ଧାର:ଗୁଣି ସନ୍ଦେହରେ ହତ୍ୟା ଓ ପୋତିଦିଆ ଯାଇଥିବା ଅଭିଯୋଗ ଆସିବା ପରେ ପୋଲିସ ତତ୍ପରତା ଦେଖାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ମୋହନା ପୋଲିସ କୁସୁମପୁର ଗାଁରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା । କରୁଣାକରଙ୍କ ମୃତଦେହ କେଉଁଠି ପୋତାଯାଇଛି ଜଙ୍ଗଲରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । ପରେ ଯେଉଁ ସ୍ଥାନରେ ମୃତଦେହ ପୋତା ଯାଇଥିଲା, ପୋଲିସ ଖୋଜି ବାହାର କରିଥିଲା। । ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଏହି ଘଟଣାରେ 8 ଲୋକଙ୍କୁ ପୋଲିସ ଅଟକ ରଖିଛି । ଏହି ଘଟଣାରେ ଆହୁରି କେତେ ଜଣ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ସହ ଗିରଫ କରାଯିବ ବୋଲି କହିଛନ୍ତି ମୋହନା ଥାନା ଆଇଆଇସି ବସନ୍ତ ସେଠୀ ।