
ବାଲେଶ୍ବର: ବସ୍ତା ପୋଲିସର ମହାନତା । ବୋହୂର ମୃତ୍ୟୁ ପରେ ଫେରାର ହୋଇଗଲେ ଶ୍ବଶୁର ଘର ଲୋକେ । ଝିଅର ବାପଘର ବି ମୃତଦେହ ନେବାକୁ ଅମଙ୍ଗ ହେଲେ । ଶେଷରେ ମୃତଦେହକୁ କୋକେଇରେ ନେଇ ଅନ୍ତିମ ସତ୍କାର କରିଛି ପୋଲିସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନଳବାହାର ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ନବବିବାହିତା ସବିତା ।
ବଡ଼ ଧନାଡି ଗ୍ରାମର ତପନ ଜେନାଙ୍କ ଝିଅ ସବିତା(21)ଙ୍କ ସହିତ ନଳବାହାର ଗ୍ରାମର ସନିଆ ମହାଳିକଙ୍କ ସହିତ ଛଅ ମାସ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। କୌଣସି ପାରିବାରିକ କଳହ କାରଣରୁ ଗତ 20 ତାରିଖ ଅପରାହ୍ନ ସମୟରେ ଘର ଲୋକ କେହି ନଥିବା ବେଳେ ସବିତାଙ୍କୁ ଗୁରୁତର ଅବସ୍ଥାରେ ଘର ଭିତରୁ ଉଦ୍ଧାର କରାଯାଇ ବଡ଼ ବୋହୁ ବସ୍ତା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇ ମୃତକଙ୍କ ବାପଘର ଲୋକେ ଝିଅକୁ ଦେଖିବାକୁ ମେଡିକାଲରେ ପହଞ୍ଚିଥିଲେ । ବେକରେ କ୍ଷତ ଚିହ୍ନ ଦେଖି ଝିଅକୁ ହତ୍ୟା କରାଯାଇଥିବା ସେହି ଦିନ ବସ୍ତା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ କେସ୍ ନମ୍ବର 292/25ରେ ମାମଲା ରୁଜୁ କରି ମୃତକଙ୍କ ସ୍ବାମୀକୁ ଥାନାରେ ଅଟକ ରଖିଥିଲା ।ମୃତଦେହକୁ ଚାରିକାନ୍ଧ ଦେଲା ପୋଲିସ, ମୁଖାଗ୍ନି ଦେଲା ସ୍ୱାମୀ:ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ମୃତଦେହ ବ୍ୟବଚ୍ଛେଦ କରି ପୋଲିସ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ମୃତଦେହ କେହି ନେଇ ନଥିଲେ। ବାପ ଘର ଲୋକେ ମୃତଦେହ ନେଇ ନ ଥିବା ବେଳେ, ଶାଶୁଘର ଲୋକେ ପୋଲିସ ଭୟରେ ଫେରାର ଥିଲେ । ସ୍ୱାମୀ ପୋଲିସ ହେପାଜତରେ ଥିଲେ। ଶେଷରେ ବସ୍ତା ପୋଲିସ ମୃତଦେହକୁ ଚାରି କନ୍ଧ ଦେଇଥିଲା । ଏକ କୋକେଇ ବାନ୍ଧି କାନ୍ଧେଇ କାନ୍ଧେଇ ରାଜପଥ ପାର୍ଶ୍ଵ ମଶାଣିରେ ମୃତଦେହ ଦାହ କରିଥିଲା। ଆଇଆଇସି ରଂଜିତ କୁମାର ସାହୁଙ୍କ ନେତୃତ୍ୱରେ ସମସ୍ତ ଏସଆଇ, ଏ ଏସଆଇ, କନେଷ୍ଟବଳ ସହ କିଛି ସ୍ବେଚ୍ଛାସେବୀ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ସ୍ତ୍ରୀ ମୁହଁରେ ନିଆଁ ଦେଇଥିଲା ସ୍ୱାମୀ ସନିଆ। ପୋଲିସ ଏହି ଘଟଣାରେ ମୃତକଙ୍କ ସ୍ବାମୀ ଓ ଶାଶୁଙ୍କୁ ଗିରଫ କରିଛି ।