
ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ଉଡ଼ିଲା ବିମାନ। ଭୁବନେଶ୍ୱରରୁ ଝାରସୁଗୁଡ଼ା ହୋଇ ବେଙ୍ଗାଲୁରୁ ଯିବ ଷ୍ଟାର୍ ଏୟାରର ବିମାନ। ମାର୍ଗରେ ଯୋଡ଼ି ହୋଇଛି ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଓ ଭୁବନେଶ୍ବର।ଏନେଇ ସୂଚନା ପ୍ରଦାନ କରିଛନ୍ତି, ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦେଶକ ସନ୍ଦୀପ କୁମାର ତିୱାରୀ। ଆଜି ଭୁବନେଶ୍ୱରରୁ ୪୯ ଜଣ ଯାତ୍ରୀ ଝାରସୁଗୁଡ଼ା ପହଁଚିଥିବା ବେଳେ ୫୯ ଜଣ ଯାତ୍ରୀ ବେଙ୍ଗାଲୁରୁକୁ ଯାତ୍ରା କରିଥିବା ସେ ସୂଚନା ଦେଇଛନ୍ତି। ଏହି ସୁବିଧା ଖାଲି ଝାରସୁଗୁଡ଼ା ନୁହେଁ ବରଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡର ଯାତ୍ରୀ ମଧ୍ୟ ପାଇ ପାରିବେ ବୋଲି ଆଶା କରାଯାଉଛି।
ଏହି ବିମାନ ଝାରସୁଗୁଡ଼ାରେ ୬ଟା୧୦ରେ ପହଞ୍ଚିବ, ପୁଣି ଝାରସୁଗୁଡ଼ାରୁ ୬ଟା୪୦ରେ ଉଡ଼ି ଭୁବନେଶ୍ବରରେ ପହଞ୍ଚିବ ପୁଣି ସେଠାରୁ ଉଡ଼ି ଝାରସୁଗୁଡ଼ାରେ ୮ଟା ୫୫ରେ ପହଁଚି ରାତି ୯ଟା୨୫ରେ ବେଙ୍ଗାଲୁରୁକୁ ଯାତ୍ରା ଆରମ୍ଭ କରିବ ବୋଲି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଥିଲେ। ଆଜିଠାରୁ ଏହି ବିମାନ ଉଡିବା ପରେ ଝାରସୁଗୁଡ଼ାରେ ଏହାକୁ ମିଶାଇ ୮ଟି ବିମାନ ପ୍ରସ୍ଥାନ କରିବ।ଏହା ଝାରସୁଗୁଡ଼ା ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ଯାତ୍ରୀମାନେ କହିଛନ୍ତି। ତେବେ ଏହି ବିମାନ ବେଙ୍ଗାଲୁରୁ ଓ ଭୁବନେଶ୍ୱରକୁ ଯାଉଥିବାରୁ ଝାରସୁଗୁଡ଼ାର ବୈଷୟିକ ବିକାଶ ହେବାର ଆଶା ସଞ୍ଚାର ହୋଇଥିବା ସେମାନେ କୁହନ୍ତି।ରାଜ୍ୟର ଦ୍ବିତୀୟ ବିମାନବନ୍ଦର ହେଉଛି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ମାନବନ୍ଦର। ଏଠାରୁ ପ୍ରତି ଦିନ ହାରାହାରି ହଜାରେରୁ 15 ଶହ ଯାତ୍ରୀ ଯିବାଆସିବା କରୁଛନ୍ତି। ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ରାୟପୁର, ଲକ୍ଷ୍ନୌ, କୋଲକାତା, ଭୁବନେଶ୍ବରକୁ ବିମାନ ଚଳାଚଳ କରୁଛି। ଏଥର ଷ୍ଟାର ଏୟାର ପକ୍ଷରୁ ବେଙ୍ଗାଲୁରୁକୁ ଆକାଶ ମାର୍ଗରେ ଯୋଡ଼ି ହୋଇଛି ଝାରସୁଗୁଡ଼ା।ସପ୍ତାହେ ତଳେ ଭୁବନେଶ୍ବର-ଝାରସୁଗୁଡ଼ା ବିମାନ ସେବା ଆରମ୍ଭ କରିଥିଲା ଷ୍ଟାର୍ ଏୟାର୍ଗତ 17 ତାରିଖରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ବିମାନ ସେବାର ଶୁଭାରମ୍ଭ କରିଥିଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବରରୁ ଝାରସୁଗୁଡା ପର୍ଯ୍ୟନ୍ତ ୭୬ ସିଟ୍ ବିଶିଷ୍ଟ ଷ୍ଟାର୍ ଏୟାରର ଏହି ବିମାନଟି ଓଡ଼ିଶା New Destination Policy ଅଧିନରେ ବିମାନ ଯୋଜନାରେ Viability Gap Funding (VGF) ସହଯୋଗରେ ଚଳାଚଳ ଆରମ୍ଭ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପ୍ରଥମ ଯାତ୍ରୀଙ୍କୁ ବୋଡିଂ ପାସ ପ୍ରଦାନ କରିଥିଲେ ।
ଯୋଜନା:ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ ହବରେ ପରିଣତ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ଵରୂପ କ୍ୟାବିନେଟ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିଶ୍ବସ୍ତରୀୟ MRO ସୁବିଧା ପ୍ରତିଷ୍ଠାକୁ ଅନୁମୋଦନ କରିଛି । ଏହା ପୂର୍ବ ଭାରତରେ ପ୍ରଥମ ପ୍ରମୁଖ MRO ସୁବିଧା ହେବ । B-MAAN ଯୋଜନା ମାଧ୍ୟମରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଷ୍ଟିକୋଣ ଅଧୀନରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହେବ। ରାଜ୍ୟରେ ବିଶ୍ବସ୍ତରୀୟ ବିମାନ ଚଳାଚଳ ବ୍ୟବସ୍ଥା ପାଇଁ ଆମର ସମସ୍ତ ପଦକ୍ଷେପ ଜାରି ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ।