
ଭୁବନେଶ୍ଵର:ଭୁବନେଶ୍ୱର ସ୍ଥିତ କ୍ଲବ ଚକୋଲେଟ୍ ର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚକୋଲେଟ୍ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଚକୋଲେଟ ପ୍ରତିମୂର୍ତ୍ତିକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ପ୍ରଶଂସା କରିଛନ୍ତି। ଏହି ମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ପ୍ରତି ଏକ ସମ୍ମାନ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଏହିଭଳି କୁଶଳୀ, ଅଭିନବ ଏବଂ ଭାବପୂର୍ଣ୍ଣ ସମ୍ମାନ ପ୍ରଦର୍ଶନକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।

70 କୋଜିର ଦୁଇ ପ୍ରକାର ଚକୋଲେଟ ମିଶ୍ରଣରେ ଏହି କେକ୍ ତିଆରି ହୋଇଛି । ଯେଉଁଥିରେ 55 କେଜିର ଡାର୍କ ଓ 15 କେଜିର ହ୍ବାଇଟ ଚକୋଲେଟ ରହିଛି । ଦ ସ୍କୁଲ ଅଫ ବେକିଂ ଆଣ୍ଡ ପେଷ୍ଟ୍ରି ଆର୍ଟର ପ୍ରାୟ 15 ଜଣ ଛାତ୍ରଛାତ୍ରୀ ଏହାକୁ 7 ଦିନ ଧରି ପରିଶ୍ରମ କରି ତିଆରି କରିଛନ୍ତି ।ପ୍ରଥମ ଥର ପାଇଁ ଚକୋଲେଟରେ ପିଏମ୍ଙ୍କ ପ୍ରତିକୃତି:ଚକୋଲେଟ ଆର୍ଟର ପ୍ରଚାର ପ୍ରସାର ସହ ପ୍ରଧାନମନ୍ତ୍ରୀଙ୍କୁ ନିଆରା କଳାକୃତି ମାଧ୍ୟମରେ ଜନ୍ମଦିନରେ ଶୁଭେଚ୍ଛା ଜଣେଇବା ପାଇଁ କ୍ଲବ ଚକୋଲେଟ ପକ୍ଷରୁ ଏହି ନିଆରା ଓ ଆକର୍ଷଣୀୟ ଚକୋଲେଟ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ପ୍ରଥମ ଥର ପାଇଁ ବିଶ୍ବରେ ଓ ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ ଏପରି କେକ୍ ତିଆରି କରାଯାଇଥିବା ସେମାନେ ଦାବି କରିଛନ୍ତି । ଏହା ପିଏମଙ୍କ ନିକଟରେ ପହଞ୍ଚିବ ବୋଲି ଆଶା ରଖିଛନ୍ତି ପେଷ୍ଟ୍ରି ଆର୍ଟ ସ୍କୁଲର ଛାତ୍ର ଛାତ୍ରୀ । ଚକୋଲେଟରେ ଗଛ କରାଯାଇ ସେଥିରେ ମୋଦିଙ୍କୁ ମୂର୍ତ୍ତି ତିଆରି କରାଯାଇଛି । ଗଛର ଶାଖାରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳ ପଦକ୍ଷେପକୁ ସ୍ଥାନିତ କରାଯାଇଛି ।
ମୋଦିଙ୍କ କେକ୍ କରିବାର ଉଦ୍ଦେଶ୍ୟ:ସବୁବେଳେ ନିଆରା କଳାକୃତି ଓ ଅନନ୍ୟ କାରିଗରୀକୁ ନେଇ ଚର୍ଚ୍ଚାରେ ଥିବା କ୍ଲବ ଚକୋଲେଟ ନିଆରା ଢଙ୍ଗରେ ସମସ୍ତଙ୍କ ଆଗରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି ପ୍ରୟାସ କରିଥିବା କହିଛନ୍ତି ପ୍ରଶିକ୍ଷକ ରାକେଶ କୁମାର ସାହୁ। ସେ ଆହୁରି କହିଛନ୍ତି,” ଏହି କେକ୍ର ଥିମ୍ ରହିଛି ‘World Leader Narendra Modi’ । ମୋଦି ସରକାରରେ ଯାହା ଯାହା ଉନ୍ନତି ହୋଇଛି ତାହାକୁ ଆମେ ଦର୍ଶାଇଛୁ । ଦେଶରେ ହେଉ କି ବିଶ୍ବରେ କେହିବି ଚକୋଲେଟରେ ପିଏମଙ୍କ ପ୍ରତିମୂର୍ତ୍ତି କେହି କରିନାହାନ୍ତି । ଆମେ ପ୍ରଥମ ଥର ଏହା କରିଛୁ । ବାଲୁକା କଳା ହେଉ ଅବା ପ୍ଲାଷ୍ଟର ଅଫ ପ୍ୟାରିସ ଏ ସବୁ କଳାର ବେଶ ପ୍ରଚାର ପ୍ରସାର ଭାରତ ସମେତ ସାରା ବିଶ୍ବରେ ରହିଛି । ସବୁଠି ଏନେଇ କାମ କରିବାର ସୁଯୋଗ ରହିଛି, ଏହାକୁ ବୃତ୍ତିକରି ରୋଜଗାର କରାଯାଉଛି। ହେଲେ ପେଷ୍ଟ୍ରି କଳା କେବଳ କଲେଜ ସ୍କୁଲ ବା ପ୍ରଶିକ୍ଷଣରେ ରହିଯାଇଛି। ପିଲାମାନେ ଏହି କଳାର ପଦର୍ଶନ ପାଇଁ ଭାରତ ବାହାରକୁ ଯିବାକୁ ପଡୁଛି। ଆମ ଦେଶରେ ଏନେଇ କିଛି ସୁଯୋଗ ନାହିଁ। ତେଣୁ ଏହି କଳାକୁ ପ୍ରୋତ୍ସାହନ କିଭଳି ମିଳିବ ସେନେଇ ସରକାର ଯତ୍ନବାନ ହୁଅନ୍ତୁ ବୋଲି ଆମେ ଏହି ଉଦ୍ଦେଶ୍ୟ ରଖି ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଛୁ। ଚକୋଲେଟ କେବଳ ଖାଇବା ପାଇଁ ନୁହେ ଏଥିରେ ବି ଅନେକ କଳାକୃତି ପ୍ରସ୍ତୁତ କରି ହେବ ତାର ବାର୍ତ୍ତା ଦେଉଛୁ। ତେଣୁ ଏହି ନିଆରା ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚୁ, ଆଉ ସେ ଏହାର ପ୍ରୋତ୍ସାହନ ପାଇଁ ପଦକ୍ଷେପ ନିଅନ୍ତୁ ।
ସେଫ୍ ରଞ୍ଜନ କୁମାର ପରିଡା କହିଛନ୍ତି,” ପ୍ରଥମେ ମନୋବଳ ଆସୁନଥିଲା କି ପିଏମଙ୍କ ପ୍ରତିମୂର୍ତ୍ତି ସଠିକ ହୋଇପାରିବ କି ନାହିଁ। କିନ୍ତୁ ଦୃଢ଼ ଇଚ୍ଛାଶକ୍ତିକୁ ନେଇ ଆମେ ଆରମ୍ଭ କରିଥିଲୁ, ତାହା ସଫଳ ହୋଇଛି । ଆମକୁ ବହୁତ ଖୁସି ଲାଗୁଛି । 7 ଜଣ 15 ଦିନ ଧରି କଠିନ ପରିଶ୍ରମରେ ଏହାକୁ ତିଆରି କରିଛୁ । ଆମଦ୍ୱାରା ପ୍ରସ୍ତୁତ ମୂର୍ତ୍ତି ଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା,ଏଭଳି ଏକ ସୁନ୍ଦର କଳାକୁ ପ୍ରୋତ୍ସାହନ ମିଳୁ ବୋଲି ଆମେ ଦାବି କରୁଛୁ । ପ୍ରଥମ ଥର ଭାରତରେ ଆମେ ଏମିତି ବନାଇଛୁ । ଏହା ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚୁ ବୋଲି ଆମ ଆଶା । “