ଭୁଲ୍ ଇଞ୍ଜେକସନ୍ ଯୋଗୁଁ ଶିଶୁର ବାମ ଗୋଡ଼ ଅଚଳ ଅଭିଯୋଗ, ହସ୍ପିଟାଲ ଆଗରେ ବିକ୍ଷୋଭ

ପଟ୍ଟାମୁଣ୍ଡାଇ: ଭୁଲ୍ ଇଞ୍ଜେକସନ୍ ଯୋଗୁଁ ବାମ ଗୋଡ଼ ଅଚଳ ଅଭିଯୋଗ ହୋଇଛି । ୪ ବର୍ଷ ଶିଶୁପୁତ୍ରର ବାମ ଗୋଡ଼ ଅଚଳ ଅଭିଯୋଗରେ ଉତ୍ତେଜନା ଦେଖାଯାଇଛି । ଏପରି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ । ହସ୍ପିଟାଲ ଆଗରେ ପରିବାର ଓ ଗ୍ରାମବାସୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି ।ସୂଚନା ଅନୁସାରେ ପଟ୍ଟାମୁଣ୍ଡାଇ ମାଟିଆ ଗାଁର ଆନନ୍ଦ ମଲିକ ତାଙ୍କ ୪ ବର୍ଷର ପୁଅକୁ ଗତ ୨୩ ତାରିଖ ଦିନ ଥଣ୍ଡା ଜର ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ । ଏହା ପରେ ହଠାତ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା ପରେ ତାଙ୍କ ଦୁଇଟି ଗୋଡ଼ ଆଉ ତଳେ ଲାଗିନଥିଲା । ଡାକ୍ତରଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ତାଙ୍କ ପୁଅଙ୍କର ଏଭଳି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଶିଶୁପୁତ୍ରର ପରିବାର ଲୋକେ । ଏନେଇ ପରିବାର ଲୋକେ ମେଡିକାଲଠୁ ଥାନା ଓ ଜିଲ୍ଲା ସ୍ତରୀୟ ମେଡିକାଲରେ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ । ଆଜି ପରିବାରଙ୍କ ସମେତ ଗାଁର ଶତାଧିକ ଲୋକେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ମୁତୟନ ରହିଛି ।