ପାଞ୍ଚ ବିକଶିତ ରାଜ୍ୟ ଭିତରେ ଓଡ଼ିଶାକୁ ସ୍ଥାନ ଦେବା ପ୍ରଥମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର ଏକ ବିରାଟ ପରିବର୍ତ୍ତନ ଆଣିବ । ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମର ପ୍ରଥମ, ଏକମାତ୍ର ଲକ୍ଷ୍ୟ । ବିକଶିତ ଓଡ଼ିଶା ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶ ହେବ ଗ୍ରୋଥ ଇଞ୍ଜିନ । ସାଢେ ଚାରିକୋଟି ଲୋକଙ୍କ ସାମୂହିକ ସ୍ୱପ୍ନର ଦସ୍ତାବିଜ ହେଉଛି ଭିଜନ ୨୦୩୬ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ବା ଆଇସିସି ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ମୋର ଲକ୍ଷ୍ୟ’ମୁଖ୍ୟମନ୍ତ୍ରୀ କହିଛନ୍ତି,”ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମ ସରକାରଙ୍କ ପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ । ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର, ଦେଶର ବାଣିଜ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ । କାରଣ GST ଦର କମ ହେଲେ ଦେଶରେ consumption ବୃଦ୍ଧି ହେବ, consumption ବୃଦ୍ଧି ହେଲେ ଅଧିକ ଉତ୍ପାଦନ ହେବ । ଅଧିକ ରୋଜଗାର ବଢିବ । ଆମର ଏହି ଲକ୍ଷ୍ୟ ହାସଲ ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ ଇଞ୍ଜିନ୍ ଭାବେ ନେଇ ଆମେ କାର୍ଯ୍ୟ ଆରମ୍ଭ କରିଛୁ । ଆମର ସାମଗ୍ରିକ ବିକାଶ ଆବଶ୍ୟକ ।ଖଣିଜ ସମ୍ପଦର ଉପଯୋଗରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହିତ ଏକ ମାନୁଫାକ୍ଚରିଂ ହବ୍‌ରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଅବ୍ୟାହତ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ଖଣି ଏବଂ ଧାତୁ, କେମିକାଲ୍ସ, ପେଟ୍ରୋକେମିକାଲ୍ସ, ଆଇ.ଟି, ଷ୍ଟାର୍ଟଅପ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଏମ୍‌ଏସ୍‌ଏମ୍‌ଇ ଆଦି କ୍ଷେତ୍ରର ବିକାଶକୁ ମଧ୍ୟ ଗୁରୁତ୍ୱ ଦେଉଛୁ । ଓଡିଶାରେ ବିକାଶ କୌଣସି ଗୋଟେ ନିର୍ଦ୍ଦିଷ୍ଟ କ୍ଷେତ୍ର ବା ବର୍ଗଙ୍କ ପାଇଁ ହେବନାହିଁ । ଏହା ହେବ ସମାବେଶୀ ବିକାଶ । ଏଥିପାଇଁ ଆମେ ଏକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିଛୁ । ଏହା ହେଉଛି ଆମ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ସାମୂହିକ ସ୍ୱପ୍ନର ଦସ୍ତାବିଜ ।”

ବିକଶିତ ଓଡ଼ିଶା ୨୦୩୬:ସେ ଆହୁରି କହିଛନ୍ତି,” ସମୃଦ୍ଧ ଓଡିଶା ଗଠନ ପାଇଁ ଆମକୁ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ପଡିବ । ଶିକ୍ଷା, ସ୍ୱାସ୍ଥ୍ୟଠୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପଡିବ । ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବାକୁ ପଡିବ । ଏହା ସହିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି, ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ, ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଏବଂ ସବୁଜ ଶକ୍ତି କ୍ଷେତ୍ରରେ ଓଡିଶାକୁ ଅଗ୍ରଣୀ କରିବାକୁ ପଡିବ । ଆମର ବିକଶିତ ଓଡ଼ିଶା ୨୦୩୬ର ରୋଡମ୍ୟାପ ତିନୋଟି ମୁଖ୍ୟ ମାର୍ଗଦର୍ଶିକା ଉପରେ ଆଧାରିତ । ପ୍ରଥମଟି ହେଲା People first – ଆମର ପ୍ରତ୍ୟେକ ନୀତି ଓ କାର୍ଯ୍ୟକ୍ରମର କେନ୍ଦ୍ରରେ ଜନସାଧାରଣ ଅଛନ୍ତି । ଦ୍ୱିତୀୟଟି ହେଉଛି Prosperity for all – ରାଜ୍ୟର ବିକାଶ କେବଳ ସାମଗ୍ରିକ ଉନ୍ନତି ଦ୍ଵାରା ସମ୍ଭବ । ତୃତୀୟଟି ହେଉଛି Technology-Led-Development

ପାଞ୍ଚ ବର୍ଷରେ ୭୫ ହଜାର କିଲୋମିଟରର ଉଚ୍ଚ ମାନର ସଡକ ନିର୍ମାଣ ହେବ’ସେ ଏହା ମଧ୍ୟ କହିଛନ୍ତି,” ବର୍ତ୍ତମାନ ଓଡିଶା ପ୍ରାୟ ୮୦ ହଜାର କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ, ୧୨ ହଜାର କୋଟିରୁ ଅଧିକ ରାଜପଥ ଓ ସଡକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ସହୟତାରେ ନିର୍ମିତ ହେଉଛି । ଏଥି ସହିତ କିଛି ଦିନ ତଳେ କେନ୍ଦ୍ର ସରକାର ୮୩୦୮ କୋଟି ଟଙ୍କା ବ୍ୟୟରେ କ୍ୟାପିଟାଲ ରିଜିୟନ ରିଂ ରୋଡ ଘୋଷଣା କରିଛନ୍ତି । ଆମ ସରକାର ବି ଆଗାମୀ ପାଞ୍ଚ ବର୍ଷରେ ୭୫ ହଜାର କିଲୋମିଟରର ଉଚ୍ଚ ମାନର ସଡକ ନିର୍ମାଣ କରିବେ । ସେହିପରି ବିମାନ ବନ୍ଦର ଭିତ୍ତିଭୂମିରେ ମଧ୍ୟ ଉନ୍ନତିକରଣ କରାଯାଇ ଦେଶ ବିଦେଶର ନୂଆ ନୂଆ ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳର ସୁବିଧା କରାଯାଇଛି । ରାଜ୍ୟର ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି । ରାଜ୍ୟରେ ତିନୋଟି ପ୍ରମୁଖ ବନ୍ଦର ଥିବାବେଳେ ଆମେ ଆଉ ୪ଟି ନୂତନ ବନ୍ଦର ନିର୍ମାଣ କରିବାର ଲକ୍ଷ୍ୟ ରଖିଛୁ । ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହେବ ।୨୦୪୭ ବେଳକୁ ଓଡ଼ିଶାରେ ସହରୀକରଣ ୬୦ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି । ଏଥିପାଇଁ ଆମେ ନୂଆ ସହରାଞ୍ଚଳ, ସୁଲଭ ବାସଗୃହ, ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛୁ । ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ୱଲପୁର ସହରକୁ ଆମେ ଆଧୁନିକ ସହର ଭିତ୍ତିଭୂମିର ମଡେଲ ଭାବେ ବିକଶିତ କରିବୁ । ଏମ୍‍.ଏସ୍‍.ଏମ୍‍.ଇ କ୍ଷେତ୍ର ହେଉଛି ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର । ଏହା ମଧ୍ୟ ଅର୍ଥନୈତିକ ପ୍ରଗତିକୁ ଇନ୍‍କ୍ଲୁସିଭ ବା ସମାବେଶୀ କରିଥାଏ । ଏଥିପାଇଁ Cluster-based Development, ସହଜ ଋଣ ବ୍ୟବସ୍ଥା ଏବଂ ବଜାର ପ୍ରବେଶ ପାଇଁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଏମ୍‍.ଏସ୍‍.ଏମ୍‍.ଇ ଗୁଡିକୁ ଦକ୍ଷ କରିବା ପାଇଁ କାର୍ଯ୍ୟକ୍ରମ କରୁଛୁ ।”ଏପରି କହିଲେ ଶିଳ୍ପ ମନ୍ତ୍ରୀ:ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି,”ଓଡିଶାରେ ବିକଶିତ ଓଡିଶା ଗଠନ ପାଇଁ ସମୟ ଧାର୍ଯ୍ୟ ହୋଇସାରିଛି । ବିକଶିତ ରାଜ୍ୟ ଓ ରାଷ୍ଟ୍ର ପାଇଁ ସୁସ୍ଥ ସମାଜ ଆବଶ୍ୟକ । ଏଥିପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ ରହିଛି । ଆମେ ଚିନ୍ତା କରିବା ସ୍ବପ୍ନ ଦେଖିଲେ ହେବ ନାହିଁ କଠିନ ପରିଶ୍ରମ ଦରକାର । ଆମ ପାଖରେ ପ୍ରଚୁର ସମ୍ପଦ ରହିଛି । ଆମ ପାଖରେ ଯୁବଶକ୍ତି ଅଛନ୍ତି । ଆମେ ସେମାନଙ୍କୁ ଉପଯୋଗୀ କରି ଆଗକୁ ଯିବା ଦରକାର । ତେବେ ଯାଇ ବିକଶିତ ଓଡିଶା ସ୍ବପ୍ନ ପୁରଣ ହୋଇପାରିବ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡିଶା ବିକଶିତ ଆଡକୁ ଅଗ୍ରସର ହେଉଛି । ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରମଖ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଆଇସିସି ଡିଜି ଡ.ରାଜୀବ ସିଂ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଲଘୁ ଉଦ୍ୟୋଗୀ ଭାରତୀ ସଭାପତି ଗୋପାଳ ଦାସ ଅଗ୍ରୱାଲ, ଆଇସିସିର ଅଧ୍ୟକ୍ଷ ରାଜୀବ ସାହୁ ପ୍ରମୁଖ ଯୋଗ ଦେଇଛନ୍ତି ।