
ଆଇପିଏଲ ୨୦୨୫ ଫାଇନାଲରେ ପଞ୍ଜାବକୁ ହରାଇ ଟାଇଟଲ ହାସଲ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଟ୍ରଫି ଜିତିବା ପରେ ବିଜୟ ଉତ୍ସବ ମନାଇବା ପାଇଁ ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ କ୍ରିକେଟ ଷ୍ଟାଡିୟମ ବାହାରେ ଅନେକ ଫ୍ୟାନ୍ସ ଜମା ହୋଇଥିଲେ । ଆଉ ଷ୍ଟାଡିୟମରେ ମାଗଣା ଏଣ୍ଟ୍ରି ନେଇ ଦଳାଚକଟା ଆରମ୍ଭ ହୋଇଥିଲା । ଫଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା । ଏବେ ଆରସିବି ଟିମ୍ ତରଫରୁ ଦଳାଚକଟାରେ ଜୀବନ ହରାଇଥିବା ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛି । ପୂର୍ବରୁ RCB ପକ୍ଷରୁ ଜାରି ହୋଇଥିବା ବୟାନ ମୁତାବକ, ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନିଆଯାଇଛି ।ଆରସିବି ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟରେ ଲେଖାଯାଇଛି, ଜୁନ ୪ ୨୦୨୫ରେ ଆମ ହୃଦୟ ଭଙ୍ଗିଯାଇଥିଲା । ଆମ୍ଭେ ଆରସିବି ପରିବାରର ୧୧ ଜଣ ସଦସ୍ୟଙ୍କୁ ହରାଇଥିଲୁ, ଯେଉଁମାନେ ଆମର ଅଂଶ ଥିଲେ । ସେମାନଙ୍କ ଅନୁପସ୍ଥିତି ଆମ ସ୍ମୃତିରେ ରହିଯିବ । ସେମାନଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ । କିନ୍ତୁ ଆମେ ସମ୍ମାନର ସହିତ ସେମାନଙ୍କ ପରିବାରକୁ ୨୫-୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବୁ । କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଏକତା ଏବଂ ନିରନ୍ତର ଦେଖାଶୁଣା ପାଇଁ । ଆରସିବି କେୟାରର୍ସର ଆରମ୍ଭ ।ସୂଚନାଯୋଗ୍ୟ, ଜୁନ୍ ୩ ତାରିଖରେ ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜିତିବା ପରେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ହୋଇଥିଲା । ପ୍ରଥମେ ବିଜୟ ପରେଡ ପାଇଁ ଯୋଜନା ହୋଇଥିବା ବେଳେ ପରେ ଟ୍ରାଫିକ ଜାମ୍ ଦେଖି ବିଜୟ ପରେଡକୁ ଅନୁମତି ଦେଇନଥିଲା ବେଙ୍ଗାଲୁରୁ ପୋଲିସ । ବିଜୟ ପରେଡ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରହିଥିଲା । ବିଜୟ ପରେଡ ପାଇଁ ଅନୁମତି ନ ମିଳିବାରୁ ଭିଡ଼ ଷ୍ଟାଡିୟମ ବାହାରେ ଜମା ହୋଇଥିଲା । ପ୍ରିୟ ଟିମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଯେଉଁଥି ପାଇଁ ୧୧ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଥିଲେ ।