
ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମରା ସହିତ ଅନେକ ଖେଳାଳି ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସଲେନ୍ସି ପହଞ୍ଚି ଫିଟନେସ ଟେଷ୍ଟ ଦେଇଛନ୍ତି । ଆଉ ଏହି ଫିଟନେସ ଟେଷ୍ଟରେ ରୋହିତ ଶର୍ମା ବିନା ଦ୍ବିଧାରେ ପାସ୍ ହୋଇଛନ୍ତି । ରୋହିତଙ୍କ ସହିତ ଶୁବମନ ଗିଲ, ଜସୀପ୍ରୀତ ବୁମରା ଏବଂ ଜିତେଶ ଶର୍ମା ମଧ୍ୟ ଫିଟନେସ ଟେଷ୍ଟ ପାସ୍ କରିଛନ୍ତି ।ଅଗଷ୍ଟ ୩୦ ଏବଂ ୩୧ ଅଗଷ୍ଟ ରେ ସମସ୍ତ ଖେଳାଳିଙ୍କ ଟେଷ୍ଟ ହୋଇଥିଲା । ନିକଟରେ ବିସିସିଆଇ ଖେଳାଳିଙ୍କ ଫିଟନେସ ଟେଷ୍ଟ ପାଇଁ ୟୋ-ୟୋ ଟେଷ୍ଟ ସହିତ ବ୍ରୋଙ୍କୋ ଟେଷ୍ଟ ସାମିଲ କରାଯାଇଥିଲା । ତେବେ ଏମାନଙ୍କର ବ୍ରୋଙ୍କୋ ଟେଷ୍ଟ ହୋଇଛି କି ନାହିଁ ତାହା ଏଯାଏଁ ଜଣାପଡିନାହିଁ । କିନ୍ତୁ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ ନିଶ୍ଚିତ ଭାବେ ହୋଇଛି । ଆଉ ଏଥିରେ ସମସ୍ତ ଖେଳାଳି ପାସ୍ କରିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ସନ୍ନ୍ୟାସ ନେବା ପରେ ରୋହିତ ଶର୍ମାଙ୍କ ପାଖରେ ଏବେ କିଛି ବି ସିରିଜ ନାହିଁ । କିନ୍ତୁ ଅକ୍ଟୋବରରେ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି ।ତେବେ ଶୁବମନ ଗିଲଙ୍କ ପାଇଁ ଏହି ଫିଟନେସ ଟେଷ୍ଟ ବହୁତ ଜରୁରୀ । ଶୁବମନ ଗିଲ ଜ୍ବର ଯୋଗୁଁ ଦଲ୍ଲୀପ ଟ୍ରଫି ୨୦୨୫ କ୍ବାର୍ଟର ଫାଇନାଲ ମ୍ୟାଚରୁ ବାଦ୍ ପଡିଥିଲେ । ତାଙ୍କୁ ନର୍ଥ ଜୋନର ଅଧିନାୟକ ଦାୟିତ୍ବ ମିଳିଥିଲା । କିନ୍ତୁ ୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏସିଆ କପରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଶୁବମନ ଗିଲ ଉପ ଅଧିନାୟକ ରହିଛନ୍ତି । ଆଉ ଚଳିତଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ ।ସେପଟେ ବିନା କୌଣସି ସମସ୍ୟାରେ ମହମ୍ମଦ ସିରାଜ, ଯଶସ୍ବୀ ଜୟସୱାଲ, ୱାଂଶିଟନ ସୁନ୍ଦର ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ଫିଟନେସ ଟେଷ୍ଟ ପାସ୍ କରିଛନ୍ତି ।