ଖୁଦୁରୁକୁଣୀ ବିସର୍ଜନ ବେଳେ ନିଖୋଜ ମହିଳାଙ୍କ କାହାଣୀରେ ଟ୍ଵିଷ୍ଟ, ପ୍ରେମିକ ସହ ଖସି ପଳାଇବା ପାଇଁ ରଚିଥିଲେ ପ୍ଲାନ୍

ବାଙ୍କୀ/ପୁରୀ: ସମସ୍ତଙ୍କୁ ଚକମା ଦେଇ ଦେଲେ । ଭକୁଆ ବନାଇ ଦେଲେ ମହିଳା । ଖୁଦୁରୁକୁଣୀ ବିସର୍ଜନ ବେଳେ ନିଖୋଜ ହେଲେ । ମହାନଦୀରେ ଦୁଇ ଦିନ ହେଲା ଖୋଜା ଚାଲି ଥିଲା । ହେଲେ ପୋଲିସ୍ ଦ୍ବାରା ଠାବ ହେଲେ ପୁରୀରେ । ଘଟଣା ପଛର ରହସ୍ୟ ଜାଣିଲେ ଅକଲ ଗୁଡୁମ ହୋଇଯିବ । ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ବେଳେ ମହିଳା ଭାସି ଯାଇଥିବା ଘଟଣାଟି ସମସ୍ତଙ୍କୁ ଚକିତ କଲା ଭଳି ମୋଡ଼ ନେଇଛି । ସୂଚନା ଅନୁସାରେ ଦୁଇଟି ପିଲାର ମାଆ ପ୍ରେମିକ ସହ ଖସି ପଳାଇବାକୁ ପ୍ଲାନ କରିଥିଲେ । ସେ ସତରେ ନଦୀରେ ବୁଡ଼ଇ ନାହାନ୍ତି ।ତାଙ୍କ ଦୁଃସାହସିକ ପ୍ରେମ କଥା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗତ ଦୁଇ ଦିନ ହେଲା ନଦୀରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମହିଳାଙ୍କୁ ଖୋଜୁଛି । ହେଲେ ଏବେ ଜଣାପଡ଼ିଛି ପ୍ରକୃତ କାରଣ। ମହାନଦୀରେ ଭାସିଯିବାର ମିଛି ନାଟକ ରଚିଥିଲେ ମହିଳା। ଖୁଦୁରୁକୁଣୀ ବିସର୍ଜନ ବେଳେ ନଦୀରେ ସିନା ପଶିଲେ ହେଲେ ଲୋକ ଜାଣିବାକୁ ସେ ବୁଡ଼ିଗଲେ । ପ୍ରକୃତରେ କିନ୍ତୁ ସେ ପହଁରି ପହଁରି ଯାଇ ପ୍ରେମିକ ସହ ଚମ୍ପଟ ମାରିଥିବା ଜଣାପଡ଼ିଛି । ଗତ ଦୁଇଦିନ ଧରି ମହାନଦୀରେ ଖୋଜାଖୋଜି କରିଥିଲେ ବି ମହିଳାଙ୍କର କୌଣସି ସନ୍ଧାନ ପାଇନଥିଲେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ।ତିନିଟି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ୍ ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରି ତାଙ୍କ ସନ୍ଧାନ ପାଇ ନଥିଲେ । ଆଜି ମହିଳା ଓ ତାଙ୍କ ପ୍ରେମିକକୁ ପୁରୀ ଟାଉନ ଥାନା ପୋଲିସ ଅଟକ ରଖିଥିବା ସୂଚନା ଦେଇଛନ୍ତି ବାଙ୍କୀ ଥାନା ଅଧିକାରୀ। ବାଙ୍କୀ ଥାନା ରତାଗଡ଼ର ମହିଳା ଓ କିଛି ଯୁବତୀ ଗତ ରବିବାର ରାତିରେ ଖୁଦୁରୁକୁଣୀ ଓଷା ସାରି ସୋମବାର ଭୋର ସମୟରେ ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ବେଳେ ମହିଳା ଜଣକ ଭାସି ଯାଇଥିଲେ ବୋଲି ପ୍ରଚାର ହେଲା । ହେଲେ ଏହା ଥିଲା ତାଙ୍କର ମିଛ ନାଟକ । ପରେ ପ୍ରେମୀ ଯୁଗଳ ପୁରୀ ଚାଲି ଯାଇଥିଲେ ।ତେବେ ଏ ସମ୍ପର୍କରେ ବାଙ୍କୀ ଥାନା ପୋଲିସ୍ ମହିଳାଙ୍କ ସ୍ବାମୀଙ୍କ ଠାରୁ ଖବର ପାଇ ପୁରୀ ଟାଉନ୍ ଥାନା ପୋଲିସକୁ ଜଣାଇଥିଲା । ଏହାପରେ ଟାଉନ୍ ଥାନା ପୋଲିସ୍ ପୁରୀ ଚୂଡ଼ଙ୍ଗ ସାହିରୁ ଯୁବକ ଓ ମହିଳାଙ୍କୁ ଠାବ କରି ଆଣିବା ପରେ ଥାନାରେ ଅଟକ ରଖିଥିଲା । ବାଙ୍କୀ ଥାନା ଆଇଆଇସିଙ୍କ ସୂଚନା ଅନୁସାରେ ସେମାନଙ୍କୁ ପୁରୀରୁ ବାଙ୍କୀ ଅଣାଯାଉଛି । ଏହାପରେ ସେମାନଙ୍କ ଠାରୁ ଅସଲ କଥା ଆଦାୟ କରାଯିବ । ମହିଳା ଜଣଙ୍କୁ ଏବେ ପୁରୀ ସକ୍ଷୀ ଗୃହରେ ରଖା ଯାଇଛି । ଘର ପରିବାର ଓ ଗାଁ ଲୋକେ ସମସ୍ତେ ବ୍ୟସ୍ତ ବିବ୍ରତ ଥିଲେ ମହିଳାଙ୍କ ପାଇଁ ।ଏମିତିକି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଖୋଜି ଖୋଜି ନୟନ୍ତ ହୋଇ ପଡ଼ିଥିଲେ । ଏପଟେ କିନ୍ତୁ ନିଜକୁ ନିଖୋଜ କରିବା ପାଇଁ ମହାଡ୍ରାମା ରଚିଥିଲେ ପ୍ରେମୀ ଯୁଗଳ । ସତରେ ପ୍ରେମ ପାଇଁ ଏମିତି ବୁଦ୍ଧି ବି ଯୁଟି ପାରେ । ତେବେ ବାଙ୍କୀ ଥାନାରେ ପଚରା ଉଚରା ପରେ ଜଣାପଡ଼ିବ ମହିଳାଙ୍କ ଅସଲ ଉଦ୍ଦେଶ୍ୟ ଥିଲା କଣ ?