ଅପରେସନ ବ୍ଲୁ ଷ୍ଟାର : ବାଣୀବିହାର ହଷ୍ଟେଲରୁ ହଟିଲେ ଅଣଛାତ୍ର, ରେଡ୍ କରି ବିଦାକଲା ପୋଲିସ

ଭୁବନେଶ୍ୱର : ବାଣୀବିହାର ହଷ୍ଟେଲରୁ ହଟିଲେ ଅଣଛାତ୍ର । ଅଚାନକ ରେଡ୍ କରି ଅଣଛାତ୍ରଙ୍କୁ ବିଦାକଲା ପୋଲିସ । ବାଣୀବିହାରର ବିଭିନ୍ନ ଛାତ୍ରବାସକୁ କବଜା କରିଥିବା ଅଣଛାତ୍ରଙ୍କୁ ଖୋଜି ଖୋଜି ବାହାର କରିଛି ପୋଲିସ । ଆଜି ଦିନ ୧୦ଟା ୩୦ରୁ ବାଣୀବିହାରର ଛାତ୍ରବାସ ଗୁଡିକରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲୁଷ୍ଟାର ।ଦିନ ୨ଟା ଯାଏ ଅପରେସନ ଚାଲିଥିବା ବେଳେ, ସମସ୍ତ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଛି ପୋଲିସ । ଆଗକୁ ନିୟମିତ ବ୍ୟବଧାନରେ ହଷ୍ଟେଲର ଯାଞ୍ଚ ହେବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସେପଟେ ଅଣଛାତ୍ର ଉଚ୍ଛେଦକୁ ସ୍ବାଗତ କରିଛନ୍ତି ବାଣୀବିହାରରେ ପଢୁଥିବା ଛାତ୍ର ।ରେଡ୍ ବେଳେ ୩ ନଂ ହଷ୍ଟେଲକୁ ସଂପୂର୍ଣ୍ଣ ସିଲ୍ କରାଯାଇଥିବା ବେଳେ ୨ନଂ ହଷ୍ଟେଲର ୨୫ ରୁମ୍ ଓ ୧ନଂ ହଷ୍ଟେଲର ୧୯ଟି ରୁମ ସିଲ କରାଯାଇଛି । ଏପରିକି ୧ନଂ ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନକୁ ମଧ୍ୟ ସିଲ୍ କରିଛି ପୋଲିସ । ତେବେ ୩ନଂ ହଷ୍ଟେଲର ମରାମତି ପରେ ଛାତ୍ର ମାନଙ୍କୁ ଆଲଟମେଣ୍ଟ କରାଯିବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।ଅନ୍ୟପଟେ ଅପରେସନ ବ୍ଲୁ ଷ୍ଟାର କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ । କୁଳପତିଙ୍କୁ ନିର୍ଦ୍ଦେଶ ହୋଇଥିଲା ଅଣ ଛାତ୍ର ଯେମିତି ନ ରହିବେ । ଦୀର୍ଘବର୍ଷରୁ ସେମାନେ ରହି ଆସୁଥିଲେ । ବିଶ୍ବ ବିଦ୍ୟାଳୟ ରାଙ୍କିଙ୍ଗ କମୁଥିଲା । ପୋଲିସ ଆରେଜମେଣ୍ଟ ରହିଛି, 8 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେଉଁମାନେ ଅଣ ଛାତ୍ର ସେମାନେ ଛାଡ଼ି ଦିଅନ୍ତୁ । ଶିକ୍ଷା ବାତାବରଣ କେମିତି ତିଆରି ହେବ ସେନେଇ ସମସ୍ତେ ଚେଷ୍ଟା କରିବେ । ହଷ୍ଟେଲ ଫାଙ୍କା ସହ ହଷ୍ଟେଲକୁ ସିଲ କରାଯିବ । ତାପରେ ମରାମତି କରି ଛାତ୍ରମାନଙ୍କୁ ଦିଆଯିବ। ଯାହା ନିୟମ ଅଛି ପାଳନ କରିବୁ।