୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର

୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର । କଳସ ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଚୋରକୁ ଗିରଫ କରିବାରେ ସଫଳ ହୋଇଛି । ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଛି ଯେ ଗୋଟିଏ ନୁହେଁ ବରଂ ତିନୋଟି କଳସ ଚୋରି ହୋଇଛି, ଯେଉଁଥିରୁ ଗୋଟିଏ ଉଦ୍ଧାର କରାଯାଇଛି । ଅନ୍ୟ ଅଭିଯୁକ୍ତ ଏବଂ ଦୁଇଟି କଳସକୁ ଉଦ୍ଧାର କରିବା ପାଇଁ ଚଢାଉ ଜାରି ରହିଛି ।

କହି ରଖୁଛୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଜୈନ ଧର୍ମର ଏକ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ଚୋର ସୁଯୋଗ ଦେଖି ଏକ କୋଟି ଟଙ୍କାରୁ ଅଧିକ ଦାମର ଏକ କଳସ ଚୋରି କରିନେଇଥିଲା । ଏହି କଳସରେ ୭୬୦ ଗ୍ରାମର ସୁନା, ୧୫୦ ଗ୍ରାମର ହୀରା, ମାଣିକ, ମୋତି ଆଦି ଲାଗିଥିଲା ।

ଯେତେବେଳେ ତଦନ୍ତ ଆରମ୍ଭ ହେଲା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଭାବରେ ଜଣାପଡ଼ିଥିଲା ଯେ ଧୋତି ପିନ୍ଧିଥିବା ଜଣେ ବ୍ୟକ୍ତି ଚତୁରତାର ସହିତ ପୂଜାସ୍ଥଳରେ ପହଞ୍ଚିଥିଲେ ଏବଂ ପରିସ୍ଥିତିର ସୁଯୋଗ ନେଇ କଳସକୁ ନିଜ ବ୍ୟାଗରେ ରଖି ସେଠାରୁ ପଳାଇ ଯାଇଥିଲେ । ଏହି କଳସ କେବଳ ସୁନା ଏବଂ ମଣିରେ ଖଚିତ ଏକ ଅଳଙ୍କାର ନଥିଲା ବରଂ ଜୈନ ସମ୍ପ୍ରଦାୟର ଧାର୍ମିକ କାର୍ଯ୍ୟକ୍ରମରେ ଦୈନନ୍ଦିନ ପୂଜାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ।

ଏହି ଚୋରି ବିଷୟରେ ଆୟୋଜନ କମିଟି ସଦସ୍ୟ ପୁନିତ ଜୈନ କହିଥିଲେ ଯେ ଏହି କଳସ ଦୀର୍ଘ ସମୟ ଧରି ବିଭିନ୍ନ ଧାର୍ମିକ ରୀତିନୀତିରେ ବ୍ୟବହୃତ ହେଉଥିଲା ଏବଂ ପୂଜା ସମୟରେ ପ୍ରତିଦିନ ଏକ ସ୍ୱତନ୍ତ୍ର ମଞ୍ଚରେ ସ୍ଥାପିତ ହେଉଥିଲା । କେବଳ ପାରମ୍ପରିକ ପୋଷାକ ପିନ୍ଧିଥିବା ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ମଞ୍ଚରେ ପ୍ରବେଶ ଅନୁମତି ଦିଆଯାଏ । ଏହାର ସୁଯୋଗ ନେଇ ଚୋରଟି ସାଧୁ ବେଶରେ ଆସି କଳସ ନେଇ ଛୁ ମାରିଥିଲା। କିନ୍ତୁ ପୋଲିସର ତପ୍ତରତା ଯୋଗୁଁ ଚୋର ଏବେ ଧରା ପଡ଼ିଛି ।