ଦ୍ୱିତୀୟ ଜାତୀୟ ଏଏନଟିଏଫ୍ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ଏ.ଏନ୍.ଟି.ଏଫ୍) ମୁଖ୍ୟମାନଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଶ୍ରୀ ଶାହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବାର୍ଷିକ ରିପୋର୍ଟ-୨୦୨୪ ଉନ୍ମୋଚନ କରିଥିଲେ ଏବଂ ଅନଲାଇନ୍‍ ନିଶାଦ୍ରବ୍ୟ ନିଷ୍କାସନ ଅଭିଯାନର ଶୁଭାରମ୍ଭ କରିଥିଲେ। ସେପ୍ଟେମ୍ବର ୧୬ ଏବଂ ୧୭ ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୩୬ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏ.ଏନ୍.ଟି.ଏଫ୍. ମୁଖ୍ୟଙ୍କ ସହିତ ଅନ୍ୟ ସରକାରୀ ବିଭାଗର ଅଂଶୀଦାରମାନେ ମଧ୍ୟ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଏବଂ ଏନସିବିର ମହାନିର୍ଦ୍ଦେଶକଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଥିଲେ।ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାଦ୍ରବ୍ୟ ମୁକ୍ତ ଭାରତ ପାଇଁ ସଂକଳ୍ପ ଏବଂ ନିଶାଦ୍ରବ୍ୟ ବିରୁଦ୍ଧରେ ଲଢ଼େଇ ସେତେବେଳେ ସଫଳ ହୋଇପାରିବ ଯେତେବେଳେ ଏନସିବି, ଗୃହ ମନ୍ତ୍ରଣାଳୟ (ଏମ୍.ଏଚ୍.ଏ.), ଭାରତ ସରକାରଙ୍କ ସମସ୍ତ ବିଭାଗ, ରାଜ୍ୟ ସରକାର ଏବଂ ଏଏନଟିଏଫ୍ ଦଳ ଏହାକୁ ନିଜସ୍ୱ ସଂକଳ୍ପରେ ପରିଣତ କରିବେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ଏକ ମହାନ ଏବଂ ବିକଶିତ ଭାରତର ପରିକଳ୍ପନା କରିଛନ୍ତି ଏବଂ ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ଯୁବକମାନଙ୍କୁ ନିଶାରୁ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହ କହିଥିଲେ ଯୁବପିଢ଼ି ହେଉଛନ୍ତି ଯେକୌଣସି ରାଷ୍ଟ୍ରର ମୂଳଦୁଆ, ଏବଂ ଯଦି ଭବିଷ୍ୟତ ପିଢ଼ି ଶୂନ୍ୟ ହୋଇଯାଏ, ତେବେ ଦେଶ ପଥଭ୍ରଷ୍ଟ ହୋଇଯିବ।କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାର ଉଭୟ ଛୋଟ ନିଶା ବ୍ୟବସାୟୀ ଏବଂ ବଡ ନିଶା କାରବାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ, ନିଶାଦ୍ରବ୍ୟ ବିରୁଦ୍ଧରେ ଲଢ଼େଇରେ କାର୍ଯ୍ୟାନୁଷ୍ଠାନ ଏବଂ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାର ସମୟ ଆସିଛି। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ନିଶାଦ୍ରବ୍ୟ କାରବାରର ପ୍ରବେଶ, ବିତରଣ, ସ୍ଥାନୀୟ ବିକ୍ରୟ ଏବଂ ମାଷ୍ଟରମାଇଣ୍ଡମାନଙ୍କୁ ଟାର୍ଗେଟ କରିବା ପାଇଁ କଠୋର ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। ଏହି ଲଢ଼େଇ କେବଳ କ୍ଷୁଦ୍ର ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ନୁହେଁ, ବରଂ ତିନି ପ୍ରକାରର କାର୍ଟେଲକୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ : ଯେଉଁମାନେ ପ୍ରବେଶ ପଥରେ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ପ୍ରବେଶ ପଥରୁ ରାଜ୍ୟକୁ ବିତରଣ କରୁଛନ୍ତି ଏବଂ ଯେଉଁମାନେ ରାଜ୍ୟ ମଧ୍ୟରେ ଛୋଟ ଛୋଟ ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି କରୁଛନ୍ତି। ସେ ପ୍ରତ୍ୟେକ ରାଜ୍ୟକୁ ରାଜ୍ୟ ଏବଂ ଜିଲ୍ଲା ପୁଲିସକୁ ସାମିଲ କରି ସମସ୍ତ ତିନି ପ୍ରକାରର କାର୍ଟେଲକୁ ଲକ୍ଷ୍ୟ କରି ଏକ ଉଚ୍ଚ ସ୍ତରୀୟ ରଣନୀତି ବିକଶିତ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଟେଲଗୁଡ଼ିକୁ ରୋକିବା ପାଇଁ ଡାର୍କନେଟ୍ ବିଶ୍ଳେଷଣ, କ୍ରିପ୍ଟୋକରେନ୍ସି ଟ୍ରାକିଂ, ଯୋଗାଯୋଗ ଢାଞ୍ଚା ବିଶ୍ଳେଷଣ, ଲଜିଷ୍ଟିକ୍ସ, ଆର୍ଥିକ ପ୍ରବାହ ବିଶ୍ଳେଷଣ, ମେଟାଡାଟା ବିଶ୍ଳେଷଣ ଏବଂ ମେସିନ୍ ଲର୍ଣ୍ଣିଂ ମଡେଲ ଭଳି ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ, ଏହା କେବଳ ସେତେବେଳେ ସମ୍ଭବ ଯେତେବେଳେ ଏହି ଅଭିଯାନରେ ସାମିଲ ଥିବା ସମସ୍ତେ ଏହି ଲଢ଼େଇର ମାଲିକାନା ଗ୍ରହଣ କରିବେ। ଏହି ଲଢ଼େଇ ପାଇଁ ବର୍ଷକୁ ୧୨ ଦିନ ଉତ୍ସର୍ଗ କରିବାକୁ ସେ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରି କହିଥିଲେ ଯେ ଏଭଳି ସଂକଳ୍ପ ବିନା ପ୍ରୟାସକୁ ବୃଦ୍ଧି କରିବାର କଳ୍ପନା କରାଯାଇପାରିବ ନାହିଁ।

ଶ୍ରୀ ଶାହ କହିଛନ୍ତି ଯେ, ନିଶାମୁକ୍ତ ଭାରତ ଅଭିଯାନ ବର୍ତ୍ତମାନ ଦେଶର ୩୭୨ଟି ଜିଲ୍ଲାରେ ସକ୍ରିୟ ରହିଛି, ଯେଉଁଥିରେ ୧୦ କୋଟି ଲୋକ ଏବଂ ୩ ଲକ୍ଷ ଶିକ୍ଷାନୁଷ୍ଠାନ ସାମିଲ ଅଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ଯଥେଷ୍ଟ ନୁହେଁ, ଏବଂ ଏହି ଅଭିଯାନ ପ୍ରତ୍ୟେକ ଜିଲ୍ଲା ଏବଂ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ। ନିକଟ ଅତୀତରେ, ଏନସିବି ୟୁନିଟଗୁଡ଼ିକ ଏକ ନିଶାଦ୍ରବ୍ୟ ନେଟଓ୍ବର୍କ ତାଲିକା ପ୍ରସ୍ତୁତ କରିଛନ୍ତି, ଯାହାର ଉପଯୋଗ ରାଜ୍ୟଗୁଡ଼ିକ କରିପାରିବେ। ଏହାବ୍ୟତୀତ, ସାରା ଦେଶର ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକରେ ’’ମିଶନ ଡ୍ରଗ-ଫ୍ରି କ୍ୟାମ୍ପସ” ଅଭିଯାନ ଜାରି ରହିଛି, ଏହା ସହିତ ଡାର୍କନେଟ ଏବଂ କ୍ରିପ୍ଟୋକରେନ୍ସି ଉପରେ ତାଲିମ ବୃଦ୍ଧି ଏବଂ ‘ ମାନସ ‘(ମଡକ ପଦାର୍ଥ ନିଷେଧ ଆଶୁଚନା କେନ୍ଦ୍ର ) ହେଲ୍ପଲାଇନର ବ୍ୟବହାର ବୃଦ୍ଧି କରିବାର ପ୍ରୟାସ କରାଯାଉଛି। ସେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥରେ ବେଆଇନ କାରବାର ନିବାରଣ (ପିଆଇଟିଏନଡିପିଏସ୍) ଅଧିନିୟମ ଅନୁଯାୟୀ ୧୮ ଟି ମାମଲା ପଞ୍ଜୀକୃତ କରିଛି ଏବଂ ୩୬୦ ଡିଗ୍ରୀ ଅନୁସନ୍ଧାନ ଆରମ୍ଭ କରିଛି। ସେହିଭଳି, ରାଜ୍ୟଗୁଡ଼ିକରୁ ମିଳିଥିବା ୩୫ରୁ ଅଧିକ ମାମଲାରେ ଏନ୍ସିବି ୩୬୦ ଡିଗ୍ରୀ ତଦନ୍ତ ଆରମ୍ଭ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ତାଲିମ ଦିଆଯାଇଛି।ଅମିତ ଶାହ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏଏନଟିଏଫ୍ ଏବଂ ଜାତୀୟ ନିଶାଦ୍ରବ୍ୟ ସମନ୍ୱୟ ପୋର୍ଟାଲ (ଏନସିଓଆରଡି) ନିଶାଦ୍ରବ୍ୟ ମୁକ୍ତ ଭାରତ ଅଭିଯାନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛନ୍ତି ଏବଂ ଏହାର ସଫଳତା ପ୍ରତ୍ୟେକ ଜିଲ୍ଲା, ଏହାର ପୁଲିସ ଏବଂ ଶିକ୍ଷା ଅଧିକାରୀମାନଙ୍କ ସମ୍ବେଦନଶୀଳତା ଉପରେ ନିର୍ଭର କରିଥାଏ। ଏହି ଅଭିଯାନରେ ଧାର୍ମିକ ନେତା ଏବଂ ଯୁବ ସଂଗଠନଗୁଡ଼ିକୁ ସାମିଲ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ ଜିଲ୍ଲା ସ୍ତରୀୟ ଏନସିଓଆରଡି ବୈଠକ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଦେଶର ୨୭୨ଟି ଜିଲ୍ଲାରେ ଗୋଟିଏ ବି ଏନସିଓଆରଡି ବୈଠକ ହୋଇନାହିଁ। ସେ ସମସ୍ତ ଏଏନଟିଏଫ୍ ମୁଖ୍ୟମାନଙ୍କୁ ଏନସିଓଆରଡି ବୈଠକ ଆୟୋଜନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଉତ୍ସାହିତ କରିବା ଏବଂ ଏହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବମାନଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ।ପଳାତକମାନଙ୍କୁ ପ୍ରତ୍ୟର୍ପଣ ଏବଂ ନିର୍ବାସନ କରିବାର ଗୁରୁତ୍ୱ ଉପରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିଦେଶରୁ ନିଶାଦ୍ରବ୍ୟ କାରବାର କରୁଥିବା ଲୋକଙ୍କୁ ଭାରତୀୟ ଆଇନର ପରିସରଭୁକ୍ତ କରିବାର ସମୟ ଆସିଛି। ଶ୍ରୀ ଶାହ ଏହି ଦିଗରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର (ସିବିଆଇ) ପ୍ରଶଂସା କରିଥିଲେ ଏବଂ ଏ. ଏନ୍. ଟି. ଏଫ୍. ମୁଖ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ, ସେମାନେ ସିବିଆଇ ନିର୍ଦ୍ଦେଶକଙ୍କ ସହ ସମନ୍ୱୟ ରକ୍ଷା କରି ଏକ ସୁଦୃଢ଼ ପ୍ରତ୍ୟର୍ପଣ ବ୍ୟବସ୍ଥା ପ୍ରତିଷ୍ଠା କରନ୍ତୁ, ଯାହା କେବଳ ନିଶାଦ୍ରବ୍ୟ କାରବାର ପାଇଁ ନୁହେଁ, ବରଂ ଆତଙ୍କବାଦ ଏବଂ ଗ୍ୟାଙ୍ଗ ସମ୍ବନ୍ଧୀୟ ଅପରାଧ ପାଇଁ ମଧ୍ୟ ଫଳପ୍ରଦ ହେବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତ୍ୟର୍ପଣ ଯେପରି ଗୁରୁତ୍ୱପୂର୍ଣ୍ଣ, ସେହିପରି ପ୍ରତ୍ୟର୍ପଣ ପାଇଁ ଏକ ବ୍ୟବହାରିକ ଆଭିମୁଖ୍ୟ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଅପରାଧୀମାନଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ଏକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟା ପ୍ରତି ଏକ ଉଦାର ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ। ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ବିଦେଶୀ ଅପରାଧୀ ଏବଂ ପଳାତକମାନଙ୍କୁ ଫେରାଇ ଆଣିବା ପାଇଁ ଏନସିବି, ସିବିଆଇ ଏବଂ ରାଜ୍ୟ ପୁଲିସକୁ ନେଇ ଏକ ମିଳିତ ବ୍ୟବସ୍ଥାର ଆବଶ୍ୟକତା ଉପରେ ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

ଗୃହମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦିନରେ ସିନ୍ଥେଟିକ୍ ଔଷଧ ଏବଂ ପରୀକ୍ଷାଗାରର ଧାରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେ ପ୍ରତ୍ୟେକ ରାଜ୍ୟର ଏ.ଏନ୍.ଟି.ଏଫ୍. ମୁଖ୍ୟମାନଙ୍କୁ ସତର୍କ ରହିବାକୁ, ଏଭଳି ପରୀକ୍ଷାଗାର କିମ୍ବା ସିନ୍ଥେଟିକ୍ ଔଷଧଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ଶାହ ଗତ ଏକ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ୱୀକାର କରିଥିଲେ, କିନ୍ତୁ ଏଭଳି ପରୀକ୍ଷାଗାର ଏବଂ ଔଷଧର ନିର୍ମାଣକୁ ସମ୍ପୂର୍ଣ୍ଣ ରୋକିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଯେତେବେଳେ ଔଷଧର ଉପଲବ୍ଧତା ସମାପ୍ତ ହେବ, ସେତେବେଳେ ହିଁ ନିଶାଦ୍ରବ୍ୟ ବ୍ୟବହାରକାରୀମାନେ ଚିକିତ୍ସା ସହାୟତା ପାଇଁ ଆଗକୁ ଆସିବେ।ଅମିତ ଶାହ ସୂଚନା ଦେଇଥିଲେ ଯେ ସାରା ଦେଶରେ ୧୧ଟି ସ୍ଥାନରେ ପାଖାପାଖି ୪୮୦୦ କୋଟି ଟଙ୍କା ମୂଲ୍ୟର ପାଖାପାଖି ୧,୩୭,୯୧୭ କିଲୋଗ୍ରାମ ନିଶା ସାମଗ୍ରୀ ନଷ୍ଟ କରାଯାଇଛି। ସେ ପ୍ରତ୍ୟେକ ରାଜ୍ୟରେ ପ୍ରତି ତିନି ମାସରେ ଜବତ ହୋଇଥିବା ନିଶା ସାମଗ୍ରୀକୁ ନଷ୍ଟ କରିବାର ଏକ ବୈଜ୍ଞାନିକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ କହିଥିଲେ, କାରଣ ପୋଲିସ୍ ହେପାଜତରେ ନିଶା ସାମଗ୍ରୀ ରହିଲେ ତାହା ବିପଦ ସୃଷ୍ଟି କରେ । ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ନିଶାଦ୍ରବ୍ୟ ସମସ୍ୟାର ସମାଧାନ ପାଇଁ ଉଭୟ ଉପରରୁ ତଳ ଏବଂ ତଳରୁ ଉପର ଆଭିମୁଖ୍ୟ ଆବଶ୍ୟକ। ସେ ସ୍ପଷ୍ଟ କରିଛନ୍ତି ଯେ ଲକ୍ଷ୍ୟ ପରିସଂଖ୍ୟାନ ସୃଷ୍ଟି କରିବା ନୁହେଁ ବରଂ ଏପରି ଏକ ଭାରତ ନିର୍ମାଣ କରିବା ଯେଉଁଠାରେ ଏହିପରି ପରିସଂଖ୍ୟାନ ଅନାବଶ୍ୟକ । ସେ କହିଥିଲେ ଯେ ଏହା କେବଳ ଉପରରୁ ତଳକୁ ଏବଂ ତଳରୁ ଉପରକୁ ଆଭିମୁଖ୍ୟ ଗ୍ରହଣ କରିବା ଦ୍ୱାରା ସମ୍ଭବ।ଅମିତ ଶାହ କହିଥିଲେ ଯେ ଏକ ସାଧାରଣ ଢାଞ୍ଚା ଏବଂ ପରିଚାଳନାଗତ ଏକକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ସର୍ବୋତ୍ତମ ଅଭ୍ୟାସର ବିନିମୟ ଏବଂ ସେଗୁଡ଼ିକର ଖୋଲା ସ୍ୱୀକୃତି ମାଧ୍ୟମରେ ରାଜ୍ୟ-ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର୍ (ଏସ୍. ଓ. ପି.) ବିକଶିତ କରାଯାଇପାରିବ ଯାହା ସ୍ଥାନୀୟ ପରିସ୍ଥିତି ଅନୁସାରେ-ଜାତୀୟ ଏସ୍. ଓ. ପି. ସହିତ ସେଗୁଡ଼ିକର ଅଂଶବିଶେଷ। ସେ ଚେତାବନୀ ଦେଇଛନ୍ତି ଯେ ଏପରି ଏକ ବ୍ୟବସ୍ଥା ସ୍ଥାପନ ନକରି ଆମେ ଏହି ଲଢ଼େଇରେ ବହୁତ ପଛରେ ପଡ଼ିଯିବୁ। ଶ୍ରୀ ଶାହ କହିଥିଲେ ଯେ ଅତି କମରେ ପ୍ରତ୍ୟେକ ବଡ଼ ନିଶା କାରବାର ମାମଲାରେ, ଆମେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଗ୍ରୀଡ (ନାଟ୍‍ଗ୍ରିଡ୍‍) ର ଉପଯୋଗ କରି ସମଗ୍ର ନେଟୱାର୍କକୁ ଚିହ୍ନଟ କରିବା ଉଚିତ; ଏହା କେବଳ ଆମ ମାମଲାକୁ ମଜବୁତ କରିବ ନାହିଁ, ବରଂ ସମଗ୍ର ନେଟୱାର୍କକୁ ସଫଳତାର ସହ ଭାଙ୍ଗିବାରେ ମଧ୍ୟ ସହାୟକ ହେବ। ମୋଦୀ ସରକାର ନିଶାଦ୍ରବ୍ୟ ବିରୋଧୀ ଲଢ଼େଇରେ ରାଜ୍ୟଗୁଡ଼ିକୁ ସହାୟତା କରିବାରେ କୌଣସି ପ୍ରୟାସ ଛାଡ଼ୁନାହାନ୍ତି। ସେ ସମସ୍ତ ଏ. ଏନ୍. ଟି. ଏଫ୍. ମୁଖ୍ୟମାନଙ୍କୁ ଏକ ନିଶାଦ୍ରବ୍ୟ ନିରୋଧୀ କାର୍ଯ୍ୟାନୁଷ୍ଠାନ ଯାଞ୍ଚ ତାଲିକା ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ ଯେଉଁଥିରେ ତଦନ୍ତ କିପରି କରାଯାଇଥିଲା ଏବଂ ମାମଲା ଚିହ୍ନଟ ପାଇଁ ଜିଲ୍ଲା ପୋଲିସ କ ‘ଣ ପ୍ରୟାସ କରିଥିଲା ତାହାର ବିବରଣୀ ଅନ୍ତର୍ଭୁକ୍ତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତି ତିନି ମାସରେ ଏହି ଯାଞ୍ଚ ତାଲିକା ସମୀକ୍ଷା କରିବା ଦ୍ୱାରା ଏହା ସୁନିଶ୍ଚିତ ହେବ ଯେ ଏହି ଲଢ଼େଇ କିଭଳି ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିବ।