
ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ରେ ଗ୍ରୁପ ଷ୍ଟେଜ ମ୍ୟାଚରେ ଓମାନକୁ ୨୧ ରନରେ ହରାଇ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଓମାନ ଭାରତକୁ କଡ଼ା ଟକ୍କର ଦେଇଛି । କିନ୍ତୁ ବିଜୟ ପାଇପାରିନଥିଲା । ଭାରତର ଆଗାମୀ ମ୍ୟାଚ୍ ଆସନ୍ତା ରବିବାର ଦିନ ପାକିସ୍ତାନ ବିପକ୍ଷରେ ଖେଳାଯିବ । ଏହା ଟିମ୍ ଇଣ୍ଡିଆର ସୁପର-୪ରେ ପ୍ରଥମ ମ୍ୟାଚ । ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଓମାନ ବିପକ୍ଷ ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଆହତ ହୋଇଛନ୍ତି ।ଓମାନ ବିପକ୍ଷ ମ୍ୟାଚରେ ଭାରତ ଫିଲ୍ଡିଂ କରୁଥିବା ବେଳେ ୧୫ ଓଭରରେ ଅକ୍ଷର ପଟେଲ ଏକ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବା ବେଳେ ସନ୍ତୁଳନ ବିଗିଡିଯାଇ ହାତରୁ ବଲ୍ ଖସିଯାଇଥିଲା । ଫଳରେ କ୍ୟାଚ୍ ଛାଡିଦେଇଥିବା ବେଳେ ତାଙ୍କ ମୁଣ୍ଡ ତଳେ ମାଡ଼ ହୋଇଯାଇଥିଲା । ଏହାପରେ ଓମାନର ବ୍ୟାଟିଂ ସମୟରେ ଅକ୍ଷର ପଟେଲ ମଇଦାନକୁ ଫେରିନଥିଲେ । ତେବେ ପାକିସ୍ତାନ ବିପକ୍ଷରେ ଅକ୍ଷର ନ ଖେଳି ପାରନ୍ତି ବୋଲି ଅନୁମାନ କରାଯାଉଛି ।କିନ୍ତୁ ମ୍ୟାଚ୍ ପରେ ଭାରତର ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପ କହିଛନ୍ତି କି, ଅକ୍ଷର ପଟେଲ ବିଲକୁଲ୍ ସୁସ୍ଥ ରହିଛନ୍ତି । ଆଗାମୀ ପାକିସ୍ତାନ ସହିତ ମ୍ୟାଚ ପାଇଁ ଟିମ୍ ହାତରେ ବହୁତ କମ୍ ସମୟ ରହିଛି ।ସୂଚନାଯୋଗ୍ୟ, ଓମାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ଲେଇଂ ଏକାଦଶରେ ୨ଟି ପରିବର୍ତ୍ତନ କରିଥିଲା । ଜସପ୍ରୀତ ବୁମରା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ବାଦ୍ ଦିଆଯାଇଥିଲା । ସେମାନଙ୍କ ସ୍ଥାନରେ ଅର୍ଶଦୀପ ଏବଂ ହର୍ଷତ ରାଣାକୁ ଟିମରେ ସୁଯୋଗ ମିଳିଥିଲା ।ଓମାନ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ କ୍ରମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରି ନଥିଲେ, ଯେତେବେଳେ ଅକ୍ଷର ପଟେଲଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇଥିଲା । ଅକ୍ଷର ୧୩ଟି ବଲ୍ରେ ୨୬ ରନ୍ କରିଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ଏହା ବ୍ୟତୀତ, ଅକ୍ଷର କେବଳ ଗୋଟିଏ ଓଭର ବୋଲିଂ କରିଥିଲେ ଏବଂ ୪ ରନ୍ ଦେଇଥିଲେ ।