ଭଞ୍ଜନଗର: ଆସୁଛି ପାର୍ବଣ, ସବୁଠି ବ୍ୟାପକ ପ୍ରସ୍ତୁତି, ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଭଞ୍ଜନଗର,୨୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପାର୍ବଣରେ ଧରାପୃଷ୍ଠକୁ ଆସିବେ ଜଗତ ଜନନୀ ଦୁର୍ଗତୀ ନାଶିନୀ ମାଁ ଦୁର୍ଗା। ଦଶହରା ପୂଜାକୁ ରହିଲା ଆଉ ମାତ୍ର କେଇଟା ଦିନ। ଦଶହରା ଯେତେ ନିକଟତର ହୋଇ ଆସୁଛି ଲୋକଙ୍କ ମନରେ ସେତେ ଉତ୍ସାହ ଦେଖାଦେଉଛି। ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକରେ ଏନେଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର ସୋର୍ରେ ଚାଲିଛି। ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେଉଁଠି ମାଟି କାମ ସରିଲାଣି ତ କେଉଠି ରଙ୍ଗ ଦିଆ କାର୍ଯ୍ୟ ଆରମ୍ଭ ହେଲାଣି। ଦିନ ପାଖେଇ ଆସିଥିବାରୁ ମୂର୍ତ୍ତି କାର୍ଯ୍ୟ ଯଥା ସମୟରେ ସାରିବା ପାଇଁ ମୂର୍ତ୍ତିଶିଳ୍ପୀ ମାନେ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। କିଏ ମଣ୍ଡପ ତିଆରି କଥା ବୁଝୁଛି ତ କିଏ ପୂଜା ସାମଗ୍ରୀ ସଂଗ୍ରହ କରିବାରେ। ପୂଜା କମିଟି ମାନଙ୍କୁ ସତେ ଯେମିତି ଜମାରୁ ତର ନାହିଁ। ଦଶହରା ପୂଜାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ପୂଜା ସମୟରେ ବର୍ଷା ପାଇଁ ପାଗ ବିଗିଡିବାର ଆଶଙ୍କା ରହିଥିଲେ ମଧ୍ୟ ବହୁ ଆଡମ୍ବରରେ ରୀତିନୀତି ଅନୁଯାୟୀ ଦୁର୍ଗତୀ ନାଶିନୀ ଦେବୀ ଦୁର୍ଗାଙ୍କ ସମସ୍ତ ପୂଜା କରିବାକୁ ସମସ୍ତେ ତତ୍ପର ହୋଇ ଉଠିଛନ୍ତି।

ପ୍ରତିବର୍ଷ ବିଭିନ୍ନ ଦେବୀ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଥିବା ବେଳେ ବିଜୟା ଦଶମୀର ଠିକ୍ ୫ ଦିନ ପୂର୍ବରୁ ବିଭିନ୍ନ ଅସ୍ଥାୟୀ ପୀଠରେ ମୃଣୟ ଦେବୀଙ୍କ ବିଲ୍ବଧିବାସ ପୂଜା ବା ଷଷ୍ଠୀ ଠାରୁ ଅସ୍ଥାୟୀ ମଣ୍ଡପରେ ଦୁର୍ଗାପୂଜା ଆରମ୍ଭ ହୋଇଥାଏ। ଭଞ୍ଜନଗର ସହରରେ ଥିବା ୪ଟି ପୂଜା କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ପେଣ୍ଡାଲ୍ ସଜ୍ଜା ଓ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି। କିଏ ତୋରଣ ନିର୍ମାଣ କରିବାରେ ଲାଗିଛି ତ କିଏ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ କରିବାକୁ ତାଲିକା ପ୍ରସ୍ତୁତି ଚଳାଇଛି। ପ୍ରାୟ ସ୍ଥାନୀୟ ଶିଳ୍ପୀ ମୂର୍ତ୍ତି ନିର୍ମାଣରୁ ମୁହଁ ଫେରାଇ ନେଇଥିବା ବେଳେ ପଶ୍ଚିମବଙ୍ଗ କାରିଗର ମାନେ ଆସି ଏଠାରେ ଡେରା ପକାଇଛନ୍ତି। ଏଠାରେ ରହି ଭଞ୍ଜନଗର ସମେତବାରୁଡା, କଣ୍ଟେଇପଲ୍ଲୀ, ଦାରିଙ୍ଗିବାଡି, ଘୁ. ଉଦୟଗିରି ଆଦି ସ୍ଥାନ ପାଇଁ ମଧ୍ୟ ଦୁର୍ଗା ମୂର୍ତ୍ତି ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ମୂର୍ତ୍ତିରେ ନିର୍ମାଣରେ ଆବଶ୍ୟକତା ପଡୁଥିବା ନଡା, ମାଟି, ରଙ୍ଗ ଆଦିର ଦରଦାମ ଅହେତୁକ ବୃଦ୍ଧି ପାଇଥିବା ବେୁଳେ ସେହି ତୁଳନାରେ ପାରିଶ୍ରମିକ ମିଳୁନଥିବା କିଛି ସ୍ଥାନୀୟ ଶିଳ୍ପୀ ପ୍ରକାଶ କରିଛନ୍ତି।
ଭଞ୍ଜନଗର ସହରର ଜଳସଂପଦ କାର୍ଯ୍ୟାଳୟ ପରିସରରେ ହେଉଥିବା ପୂଜା ଚଳିତ ବର୍ଷ ୫୭ ବର୍ଷରେ ପଦାର୍ପଣ କରିଛି। ଏଠାରେ ସ୍ଥାନିୟ ମୂର୍ତ୍ତି ଶିଳ୍ପୀ ଚଳିତ ବର୍ଷ ମୂର୍ତ୍ତି ର୍ନିମାଣ କରୁଥିବା ଜଣାପଡିଛି। ଏଥିସହ ପ୍ରାୟ ୭୦ ଫୁଟ ଉଚ୍ଚ ଧଉଳି ଶାନ୍ତିସ୍ତୁପ ପ୍ରତିକାତ୍ମକ ଏକ ବିଶାଳ ତୋରଣ ନିର୍ମାଣ ହେଉଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି। ସେହିପରି ଭଞ୍ଜ ସାହିତ୍ୟ ପରିଷଦରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୭୯ ବର୍ଷ ହେବ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ହୋଇ ଆସୁଛି। ଚଳିତ ବର୍ଷ ବିରାଟ ମୃଣୟୀ ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ସଂନ୍ଧ୍ୟା ଆଳତୀ ସମୟରେ ନିଆରା ଢଙ୍ଗରେ ବାଜା ବାଜଣା କରିବା ନେଇ ଯୋଜାନ ରହିଥିବା ଆୟୋଜକ କମିଟି ପ୍ରକାଶ କରିଛନ୍ତି। ସେହିଭଳି ଖାଲା ସାହିରେ ବିଶ୍ବଜନନୀ କଳା ପରିଷଦ ପକ୍ଷରୁ ଚଳିତ ବର୍ଷ ୪୭ତମ ପୂଜା ଆୟୋଜନ ହେଉଛି। ଭଞ୍ଜନଗର ଓଏସଆରଟିସି ପକ୍ଷରୁ ମଧ୍ୟ ଦୀର୍ଘ ୬୦ରୁ ଉର୍ଦ୍ଧ ସମୟ ଧରି ପୂଜା ହେଉଛି। ପୂଜାକୁ ଶାନ୍ତି ଶୃଙ୍ଖଳାର ପରିଚାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରାକ ପ୍ରସ୍ତୁତି ଆରମ୍ଭ କରିବା ଜରୁରୀ ହୋଇପଡିଛି। ପାର୍ବଣ ସମୟରେ ଦୋକାନ ବଜାର ଭିଡ ହେଉଥିବାର ଏହାର ସୁଯୋଗ ନେଇ ଅନେକ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ବେଳେ ପୁଲିସ ପକ୍ଷରୁ କଡାକଡି ପେଟ୍ରୋଲିଂ କରିବା ଜରୁରୀ ହୋଇପଡିଛି।