
ଦୁବାଇ : ଚଳିତ ଏସିଆ କପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଣ୍ଡିତ ହୋଇଛନ୍ତି । ଗତ ୧୪ରେ ଦୁବାଇରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଲିଗ ମ୍ୟାଚରେ ଭାରତ ବିଜୟୀ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବୟାନକୁ ନେଇ ଆଇସିସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମ୍ୟାଚ ରେଫରୀ ରିଚି ରିଚାର୍ଡସନ ଅଭିଯୋଗର ଶୁଣାଣି କରି ସୂର୍ଯ୍ୟକୁମାରଙ୍କୁ ଦଣ୍ଡିତ କରିଛନ୍ତି । ଏଥିପାଇଁ ସୂର୍ଯ୍ୟକୁମାରଙ୍କ ମ୍ୟାଚ ଫିର ୩୦ ପ୍ରତିଶତ କାଟି ଦିଆଯାଇଛି ।ପାକିସ୍ତାନ ବିପକ୍ଷ ଲିଗ୍ ମ୍ୟାଚରେ ଭାରତ ବିଜୟ ପରେ ସୂର୍ଯ୍ୟକୁମାର ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବା ସହ ଅପରେସନ ସିନ୍ଦୂରରେ ସାମିଲ ଥିବା ଭାରତୀୟ ସଶସ୍ତ୍ର ବଳକୁ ବିଜୟ ଉତ୍ସର୍ଗ କରିଥିଲେ । ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ପକ୍ଷରୁ ଆଇସିସି ନିକଟରେ ଅଭିଯୋଗ କରାଯାଇଥିଲା । ପିସିବିର ଅଭିଯୋଗ ପରେ ଆଇସିସି ପକ୍ଷରୁ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।୧୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଜିତିବା ପରେ ସୂର୍ଯ୍ୟକୁମାର ଯାଦବ ପହଲଗାମରେ ସହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂର୍ଯ୍ୟକୁମାର କହିଥିଲେ, “ଏହା ଏକ ସୁନ୍ଦର ମୁହୂର୍ତ୍ତ । ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାର ସହିତ ଠିଆ ହୋଇଛୁ । ମୁଁ ଏହି ବିଜୟକୁ ଆମର ସେନା ଏବଂ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରିବାକୁ ଚାହୁଁଛି, ଯେଉଁମାନେ ମହାନ ସାହସିକତା ପ୍ରଦର୍ଶନ କରିଥିଲେ । ମୁଁ ଆଶା କରୁଛି ଯେ ସେମାନେ ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିବେ, ଏବଂ ଯେତେବେଳେ ଆମେ ସୁଯୋଗ ପାଇବୁ, ଆମେ ସେମାନଙ୍କୁ ପଡ଼ିଆରେ ହସିବା ପାଇଁ ଅଧିକ କାରଣ ଦେବୁ ।”ସୂର୍ଯ୍ୟକୁମାର ଯାଦବ ପ୍ରତି T20 ମ୍ୟାଚ୍ ପାଇଁ ୩ ଲକ୍ଷ ରୋଜଗାର କରନ୍ତି । ତାଙ୍କୁ ୩୦% ଜରିମାନା କରାଯାଇଛି, ଅର୍ଥାତ୍ ତାଙ୍କ ଦରମାରୁ ୯୦ ହଜାର କଟାଯିବ ।କେବଳ ସୂର୍ଯ୍ୟକୁମାର ଯାଦବ ନୁହେଁ, ପାକିସ୍ତାନର ଦ୍ରୁତ ବୋଲର ହାରିସ ରୌଫଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି । ICC ତାଙ୍କ ମ୍ୟାଚ୍ ଫିର ୩୦ ପ୍ରତିଶତ ଜରିମାନା କରିଛି । ସାହିବଜାଦା ଫରହାନଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି, ଯଦିଓ ତାଙ୍କ ଉପରେ କୌଣସି ଜରିମାନା ଲାଗୁ କରାଯାଇନାହିଁ । ହାରିସ ରୌଫ ୬-୦ ପାଇଁ ଇଙ୍ଗିତ କରିଥିଲେ ଏବଂ ବିମାନ ଦୁର୍ଘଟଣା ସଂକେତ ଦେଇଥିଲେ । ଅର୍ଦ୍ଧଶତକ ହାସଲ କରିବା ପରେ ସାହିବଜାଦା ଫରହାନ ତାଙ୍କ ବ୍ୟାଟରେ ଗୁଳି ଚଳାଇବା ସେଲିବ୍ରେସନ କରିଥିଲେ । ICC ଏହାକୁ ଆଚରଣ ସଂହିତାର ଉଲ୍ଲଂଘନ କହି ଦଣ୍ଡିତ କରିଛି ।