ବାଣପୁର ବାଇପାସରେ ସିରିଜ୍‍ ଦୁର୍ଘଟଣା: ଜଣେ ମୃତ, ୫ ଆହତ

ଭୁବନେଶ୍ୱର : ବାଣପୁର ବାଇପାସରେ ସିରିଜ୍‍ ଦୁର୍ଘଟଣା ଘଟିଛି । ୩ଟି ବସ୍‍ ପଛକୁ ପଛ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବଂ ୫ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଜଣ ବସ ଡ୍ରାଇଭର ଚମ୍ପଟ୍‍ ମାରିଛନ୍ତି । ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ପ୍ରଥମ ବସ୍‍ ଅଟକିବାରୁ ଦୁର୍ଘଟଣା ଘଟିଥିଲା । ୩ଟି ବସ୍‍ ମଝିରେ ଥିବା ବାଇକ୍‍ ଚାଳକ ଗୁରୁତର ହୋଇଥିବା ବେଳେ ପଛରେ ବସିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।ସୂଚନାଯୋଗ୍ୟ ଯେ, ରାସ୍ତା ଉପରେ ଶୋଇଥିବା ଗୋରୁ-ଗାଈଙ୍କୁ ବଞ୍ଚେଇବା ପାଇଁ ଶିମିଳିଗୁଡାରୁ ଭୁବନେଶ୍ୱର ଯାଉଥିବା ବସ୍‌ଟି ଅଟକି ଯାଇଥିବା ବେଳେ ପଛରୁ ଆସୁଥିବା ଏକ ବାଇକ୍‌କୁ ଅନ୍ୟ ଏକ ବସ୍ ଧକ୍କା ଦେଇଥିଲା । ତା ପଛକୁ ବିଶାଖାପାଟଣାରୁ କୋଲକାତା ଯାଉଥିବା ବସ୍‌ଟି ତା’ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ୍‌ରେ ବସିଥିବା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଗ୍ରାମର ଶୁଭମ୍ ଜ୍ୟୋତି ପ୍ରହରାଜଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବାଇକ୍‌ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ଯାତ୍ରୀ ଓ ସହକାରୀ ଡ୍ରାଇଭର ଓ ହେଲପର ଆହତ ହୋଇ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟିଥିବା ୩ଟି ବସ୍‌ର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।