
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏସିଆ କପ ଫାଇନାଲ ମ୍ୟାଚରେ ଭାରତ ଆଗରେ ୧୪୭ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯.୧ ଓଭରରେ ୧୪୬ ରନ ବିନିମୟରେ ଅଲଆଉଟ ହୋଇଯାଇଛନ୍ତି ।ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅସୁସ୍ଥ ଥିବାରୁ ତାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ପାକିସ୍ତାନର ଦୁଇ ଓପନର ଫକର ଜମାନ ଓ ସାହିବଜାଦା ଫରହାନ ଆରମ୍ଭରୁ ଭାରତୀୟ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୮୪ ରନ ସଂଗ୍ରହ କରିଥିଲେ ।ଫରହାନ ବ୍ୟକ୍ତିଗତ ଭାବେ ୫୭ ରନ କରିଥିବାବେଳେ ଜମାନ ୪୬ ରନ କରିଥିଲେ । କିନ୍ତୁ ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ ବରୁଣ ଚକ୍ରବର୍ତ୍ତି । ସେ ଫରହାନଙ୍କୁ ଆଉଟ କରିଥିଲେ । ଏହା ପରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ୩ୟ ସ୍ଥାନରେ ଆସିଥିଲା ସଲିମ ଆୟୁବ ୧୪ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକ ଛୁଇଁ ପାରିନଥିଲେ । ମାତ୍ର ୨୮ ରନ ବ୍ୟବଧାନରେ ପାକିସ୍ତାନର ୭ ଟି ଓ୍ବିକେଟ ଚାଲିଯାଇଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।