
ଭଞ୍ଜନଗର ୦୯/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତ ମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଘାଟିର ଦୁଇଟି ଝରଣା ସ୍ଥାନରେ ବଡ ବଡ ପଥର ସବୁ ଖସିବା ସହ ମାଟି ଅତଡା ଧସିଥିଲା। ଫଳରେ ଘାଟି ଦେଇ ଯାଇଥିବା ଜାତୀୟ ରାଜପଥ ର ଦୁଇଟି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ସେହିଦିନଠାରୁ ଘାଟି ରାସ୍ତା ବନ୍ଦ ଅଛି।
ଏହାପରେ ଜାତୀୟ ରାଜପଥ ପକ୍ଷରୁ ରାସ୍ତା କାମ ଆରମ୍ଭ ହୋଇଛି। କିନ୍ତୁ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି କାମ ସରିନାହିଁ। ଆଜକୁ ୨୪ ଦିନ ବିତିଗଲା ରାସ୍ତା ସ୍ବାଭାବିକ ହୋଇନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ରାସ୍ତା କାମ କରାଯାଇଥିଲେ କାମ ଏତେଦିନ ବିଳମ୍ବ ହୋଇ ନ ଥାନ୍ତା। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉକ୍ତ ରାସ୍ତା ମରାମତି ପ୍ରତି ଯେତିକି ତତ୍ପରତା ଦେଖାଇବା କଥା ଦେଖାଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଆଜି ଏହି ସମସ୍ୟା ଦେଖାଦେଇଛି। ରାସ୍ତା କାମ ବିଳମ୍ବ ଯୋଗୁ ଲୋକେ ଅଧିକ ୬୦ କିମି ରାସ୍ତା ଦେଇ ଯାତାୟତ କରୁଛନ୍ତି। ଅନ୍ୟପଟେ ଘାଟି ରାସ୍ତା ଖୋଲି ନ ଥିବା ଯୋଗୁ ଦୋକାନ, ହୋଟେଲ କରି ପରିବାର ଚଳାଉଥିବା ଶତାଧିକ ପରିବାର ବର୍ତ୍ତମାନ ରୋଜଗାର ହରାଉଛନ୍ତି । ତେଣୁ ସଂପୃକ୍ତ ଅଞ୍ଚଳବାସୀ ଗୁରୁବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ରାସ୍ତା କାମ ତ୍ୱରାନିତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏଥିସହ ବର୍ତ୍ତମାନ ଦୁର୍ଗାପ୍ରସାଦରୁ କଳିଙ୍ଗା ପର୍ଯ୍ୟନ୍ତ ଥିବା ବିକଳ୍ପ ଚଲାପଥକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ବର୍ତ୍ତମାନ କଳିଙ୍ଗା ଘାଟି ରାସ୍ତାଟି ପ୍ରାୟ ୨୦୦ ବର୍ଷର ପୁରୁଣା ରାସ୍ତା। ଭବିଷ୍ୟତ ପାଇଁ ଉକ୍ତ ରାସ୍ତା ସୁରକ୍ଷିତ ନୁହେଁ। ତେଣୁ ବିକଳ୍ପ ରାସ୍ତା ସେଠି ଆବଶ୍ୟକତା ରହିଛି।