ଭଞ୍ଜନଗର: ଚାଷ ଜମିରେ ଜଉପୋକ ମାଟିଆଗୁଣ୍ଡି; କୃଷି ଅଧିକାରୀଙ୍କୁ ଅବଗତ କଲେ ଚାଷୀ

ଭଞ୍ଜନଗର, ୧୦/୧୦:( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କିଛି ବର୍ଷ ଧରି ସ୍ପଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀକୁଳ ପ୍ରଭାବିତ ହେଉଥିବା ବେଳେ ଚଳିତ ବର୍ଷ ମୌସୁମୀ ଓ ଲଘୁଚାପ ବର୍ଷା ଯୋଗୁଁ ନଈନାଳ ଚାରିଆଡ଼େ ପାଣିର ପରିମାଣ ବଢି ଯାଇଛି। ବର୍ଷାକୁ ଦେଖି ପ୍ରାୟ ଚାଷୀ ବିଭିନ୍ନ କିସମର ବିହନ ସଂଗ୍ରହ କରି ତଳିପକା, ରୁଆ ବେଉଷଣ ଆଦି କରିଥିଲେ। ହେଲେ ଚଳିତ ବର୍ଷ ମାତ୍ରାଧିକ ବୃଷ୍ଟିପାତ ଏବେ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଲଗାଣ ବର୍ଷା ଯୋଗୁଁ ଖାଲୁଆ ଜମିରେ ପାଣି ଜମିବା କାରଣରୁ ପୋକ ଲାଗି ଧାନଫସଲରେ ମୂଳସଢ଼ା ରୋଗ ହେଉଥିବା ଅଭିଯୋଗ ହେଉଛି। ଏଥିସହ କିଛି ଜମିରେ ଜଉପୋକ ଓ ମାଟିଆଗୁଣ୍ଡି ରୋଗପୋକ ଲାଗିଥିବା ଚାଷୀମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଭଞ୍ଜନଗର ବ୍ଳକ ସାନକୋଦଣ୍ଡା ପଞ୍ଚାୟତର କିଛି ଚାଷ ଜମିରେ ଏଭଳି ପୋକ ଲାଗି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ସାନକୋଦଣ୍ଡା ଅଞ୍ଚଳ ଯୋଗିମାରି ଗ୍ରାମର ଦିବାକର ବିଷୋୟୀ, ଶଙ୍କର ପ୍ରଧାନ, ବଳରାମ ନାୟକ, ସୁଶାନ୍ତ କୁମାର ପ୍ରଧାନ, ଜୟ ପ୍ରଧାନ, ଟୁନା ପ୍ରଧାନ, ଲିଙ୍ଗରାଜ ନାୟକ, ଭଗବାନ ପ୍ରଧାନ, ଜଗତ ନାୟକ, ଧନୁ ନାୟକଙ୍କ ଭଳି କିଛି ଚାଷୀଙ୍କ ଚାଷ ଜମିରେ ଏଭଳି ରୋଗ ପୋକ ଲାଗିଥିବା କୃଷି ବିଭାଗକୁ ଜଣାଇଛନ୍ତି। ଏହି ଖବର କୃଷି ବିଭାଗ ପାଖରେ ପହଞ୍ଚିବା ପରେ ସହକାରୀ କୃଷି ଅଧିକାରୀ ସୁମିନ ସାହୁ, ଗ୍ରାମ୍ୟ କୃଷି ଅଧିକାରୀ ବିଷ୍ଣୁ ଚରଣ ବେହେରା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ‌ଔଷଧ ପକାଇବାକୁ ପରାମର୍ଶ ଦେଇଛନ୍ତି।
ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ବ୍ୟୋମକେଶ ମିଶ୍ର କହିଛନ୍ତି ଯେ, ଚଳିତ ବର୍ଷ ଭଲ ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ଅନେକ ଜମିରେ ପାଣି ଜମି ରହିଛି। ବର୍ଷା ଛାଡି ଖରା ହେବା ଫଳରେ ଏଭଳି ରୋଗପୋକ ଲାଗିବାର ଆଶଙ୍କା ବଢିଯାଇଥାଏ। ତାକୁ ଦୃଷ୍ଟିରେ ରଖି ଆବଶ୍ୟକ କୀଟନାଶକ ପ୍ରୟୋଗ କରିବାକୁ ଚାଷୀଙ୍କୁ କୁହାଯାଇଛି। ଏଥିସହ ଜମିରେ ପାଣି ଜମି ରହିଲେ ମୂଳସଢ଼ା, କାଣ୍ଡବିନ୍ଧା ଧାନଗଛରେ ଦେଖିବାକୁ ମିଳୁଛି। ତେଣୁ ପାଣି କାଟିବାକୁ ଚାଷୀଙ୍କୁ କୁହାଯାଉଛି। ଏଥିସହ ୟୁରିଆ ସାରର ଅଧିକ ବ୍ୟବହାର ଅପେକ୍ଷା ଜୈବିକ ଖତ ଅଧିକ ବ୍ୟବହାର କଲେ ଜମିର ଉର୍ବରତା ବଢିବା ସହ ଏଭଳି ସ୍ଥିତିରେ ରୋଗପୋକ ଲାଗିବାର ଆଶଙ୍କା କମ ରହିଥାଏ ବୋଲି ସେ ପ୍ରକାଶ କରିଛନ୍ତି।