
ଭଞ୍ଜନଗର:୨୩/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ତାରସିଂ ଗ୍ରାମରେ ଗତକାଲି ରାତିରେ ଗଛରେ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାର ଭାଇ ଗୁରୁତର ଆହାତ ହୋଇ ଭୂବନେଶ୍ବରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ, ତାରସିଂ ଗ୍ରାମର ରାଜା ଗୌଡ(୨୦) ଏବଂ ତାର ଭାଇ ରାହୁଲ ଗୌଡ କୋକଳବା ଆଡୁ ନିଜ ଗ୍ରାମକୁ ରାତିରେ ବାଇକରେ ଫେରୁଥିବା ବେଳେ ଗ୍ରାମ ନିକଟ ରାସ୍ତାକଡରେ ଏକ ବଡ ଗଛ ସହ ଧକ୍କା ହୋଇଥିଲା। ଫଳରେ ଉଭୟ ଭାଇ ଗୁରୁତର ଆହାତ ହୋଇ ରାସ୍ତା କଡକୁ ଛିଟିକି ପଡିଥିଲେ। ତୁରନ୍ତ ସ୍ଥାନୀୟ ଲୋକ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଆଣିଥିଲେ। ସେଠାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଆସିକା ନିକଟରେ ରାଜାର ମୃତ୍ୟୁ ଘଟିଥିଲା। ରାହୁଲ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାକୁ ଭୂବନେଶ୍ବର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ରାଜାର ମୃତଦେହକୁ ଆସିକା ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ କେସ୍ ନମ୍ବର ୪୩୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ତାରସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ରାଜାର ବଡବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ତାର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।