
ବେଲଗୁଣ୍ଠା ୧୫/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ଲୁଣିଝୋଳା ଗ୍ରାମର ନିରଞ୍ଜନ ନାୟକଙ୍କ ଘରୁ କୌଣସି ଦୁର୍ବୁତ୍ତ ବିଳମ୍ବିତ ରାତିରେ ଘର ଲୋକ ଶୋଇ ପଡ଼ିବାର ସୁଯୋଗ ନେଇ ଘର ବାରି ପଟେ ଦେଇ ଘରେ ପଶି ପ୍ରାୟ ୫ ତୋଳା ସୁନା ,୧୧ ତୋଳା ରୁପା ଓ ନଗଦ ପ୍ରାୟ ୩୮ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ନେଇ ବେଲଗୁଣ୍ଠା ପୋଲିସ ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ , ଶନିବାର ଦିନ ରାତିରେ ଲୁଣି ଝୋଳା ଗ୍ରାମର ନିରଞ୍ଜନ ନାୟକ ଓ ତାଙ୍କ ପରିବାର ଲୋକ ଖାଇ ପିଇ ଶୋଇ ପଡ଼ିଥିଲେ । ରାତ୍ର ପ୍ରାୟ ୧୧ଟା ୪୦ମିନଟ ସମୟରେ ନିରଞ୍ଜନ ପରିଶ୍ରା ଯିବା ପରେ ଶୋଇ ପଡ଼ିଥିଲେ । ସକାଳ ସାଢେ ୩ଟା ସମୟରେ ନିରଞ୍ଜନ ଶେଯରୁ ଉଠି ଦେଖିବାକୁ ପାଇଲେ ଯେ ବାରିପଟ ଓ ମଝି ଘର କବାଟ ଖୋଲା ଅଛି । ଦେଖୁ ଦେଖୁ ଜଣାପଡିଲା ଯେ ତାଙ୍କର ୨ଟି କାଠ ଖୋଲା ଅଛି ଏବଂ ଲୁଗାପଟା ଏଣେ ତେଣେ ପଡିବା ସହ ବାସନ କୁସନ ସବୁ ପଡ଼ିରହିଛି ।ଏହା ଦେଖି ନିରଞ୍ଜନ ନିଜ ସ୍ତ୍ରୀକୁ ନିଦରୁ ଉଠାଇ କାଠ ପେଢ଼ି ଦେଖିବା ବେଳକୁ ପେଢ଼ିରେ ଥିବା ପ୍ରାୟ ୫ତୋଳା ସୁନା ଅଳଙ୍କାର ( ୬ଗୋଟି ସୁନା ମୁଦି, ସୁନା ଚେଇନ ୨ଗୋଟି,ସୁନା ବଡ଼ ମାଳି ଗୋଟିଏ ,କାନ ଝୁମ୍ପି ଫୁଲ ୨ଟି ,ସୁନା ଝିକା ୨ଟି,ସୁନା କାନ ପତିରି ୨ଟି ) ରୁପା ପାଉଁଜି ପ୍ରାୟ ୧୧ତୋଳା ଓ ନଗଦ ୩୮ହଜାର ଟଙ୍କା କାଠ ପେଢ଼ିରୁ ଗାୟବ ରହି ଥିବା ନେଇ ଅଭିଯୋଗ ହୋଇଛି । । ରାତ୍ର ୧୨ଟାରୁ ସକାଳ ଭୋର ପ୍ରାୟ ସାଢ଼େ ୩ଟା ମଧ୍ୟରେ କୌଣସି ଦୁର୍ବୁତ୍ତ ନିରଞ୍ଜନଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ୩୮ ହଜାର ଟଙ୍କା କଳାକନା ବୁଲାଇ ଚମ୍ପଟ ମାରିଥିବା ନିରଞ୍ଜନ କହିଛନ୍ତି । ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସର ଏକ ଟିମ ଲୁଣି ଝୋଳାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେକେ ବିଭିନ୍ନ ଦିଗରୁ ଯାଞ୍ଚ ଜାରି ରଖିଛି । ବେଲଗୁଣ୍ଠା ଥାନା ଇଲାକାରେ ୩ଦିନ ମଧ୍ୟରେ ୩ଟି ସ୍ଥାନରୁ ଚୋରି କରି ଚୋର ମାନେ ସଫଳ ହୋଇ ଚମ୍ପଟ ମାରି ପୋଲିସର ମୁଣ୍ଡବ୍ୟଥା ବଢ଼ାଇବା ସହ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ପୋଲିସ ବିଭିନ୍ନ ଟିମ ଗଠନ କରି ସମସ୍ତ ଘଟଣା ଯାଞ୍ଚ କରୁଥିବା ବେଳେ ଏ ଦିଗରେ ଆଗକୁ ପୋଲିସ କି ପଦକ୍ଷେପ ନେଉଛି ଏବଂ ପୋଲିସ ହାତରେ ଚୋର ଧରା ପଡୁଛନ୍ତି ନା ନାହିଁ ତାହା ଦେଖିବକୁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି ।