
ଗଞ୍ଜାମ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗତ ଦୁଇ ଦିନ ଧରି ଗଞ୍ଜାମ – କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଏସଓଜି, ସିଆରପିଏଫ୍, ଓଡ଼ିଶା ପୋଲିସର ମିଳିତ ଦୁଇ ପୃଥକ୍ କମ୍ୱିଂ ଅପରେସନ ରେ ୬ ହାର୍ଡକୋର୍ ମାଓବାଦୀ ନିପାତ ହୋଇଛନ୍ତି । କନ୍ଧମାଳ ଏସପି ହରିଶ୍ ବିସି ଙ୍କ ନେତୃତ୍ୱରେ ହୋଇଥିବା ଏହି ମାଓ ଅପରେସନ ରେ ସେଣ୍ଟ୍ରଲ କମିଟି ମେମ୍ବର ଗଣେଶ ଉଇକେ ନିହତ ହୋଇଛି । ଯାହା ନକ୍ସଲ ମୁକ୍ତ ଭାରତ ଲକ୍ଷ୍ୟରେ ଏକ ବଡ଼ ସଫଳତା । ଗଣେଶ ର ନିଧନ ମାଓ ସଂଗଠନ ପାଇଁ ଏକ ବଡ଼ ଝଟକା । ଗଣେଶ ର ମୁଣ୍ଡ ଉପରେ ୪ ରାଜ୍ୟରେ ୨ କୋଟି ଟଙ୍କା ପୁରସ୍କାର ରାଶି ଥିଲା। ଏହି ମାଓ ଅପରେସନ ଦ୍ଵାରା ମାଓବାଦୀ, ସଂଗଠନରେ କାମ କରିବାକୁ ନିରୁତ୍ସାହିତ ହେବେ ଏବଂ ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ଆଶା କରାଯାଉଛି । ମୁଖ୍ୟସ୍ରୋତରେ ସାମିଲ ହେଲେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ବହୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ତେଣୁ ମାଓବାଦୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି ପୋଲିସ ଏଡ଼ିଜି ସଞ୍ଜୀବ ପଣ୍ଡା । ଶୁକ୍ରବାର ଫୁଲବାଣୀ ପୋଲିସ ରିଜର୍ଭ ଗ୍ରାଉଣ୍ଡ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସିଆରପିଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଆଇଜି ଅପରେସନ ଡ଼ ଦୀପକ କୁମାର, ଡିଆଇଜି ସ୍ପେଶାଲ୍ ଇଣ୍ଟେଲିଜେନ୍ସ ୱିଙ୍ଗ ଅଖିଲେଶ୍ୱର ସିଂ, କନ୍ଧମାଳ ଏସପି ହରିଶ୍ ବିସି ଉପସ୍ଥିତ ଥିଲେ । ଏଥି ସହ ମାଓବାଦୀଙ୍କ ଠାରୁ ଜବତ ଅସ୍ତ୍ରଶସ୍ତ୍ର, ଲ୍ୟାଣ୍ଡ ମାଇନ, ୱାକି ଟକି, ଇଲେକ୍ଟ୍ରୋନିକ ଜିନିଷ, ଔଷଧ, ସର୍ଜରୀ ଯନ୍ତ୍ରପାତି ପ୍ରମୁଖ ଜବତ ହୋଇଥିବା ବେଳେ ଲ୍ୟାଣ୍ଡ ମାଇନ କୁ ନିଷ୍କ୍ରିୟ କରିବା ସହ ଅନ୍ୟ ସମସ୍ତ ଜବତ ସାମଗ୍ରୀ ପୋଲିସ ରିଜର୍ଭ ଗ୍ରାଉଣ୍ଡ ରେ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶିତ କରାଯାଇଥିଲା । କମ୍ବିଂ ଅପରେସନରେ ଜଡ଼ିତ ସମସ୍ତଙ୍କୁ ଏଡ଼ିଜି ଧନ୍ୟବାଦ ଜଣାଇଥିଲେ ।