ସୁରତରେ ମୃତ ଓଡ଼ିଆ ଶ୍ରମିକଙ୍କ ଅଙ୍ଗଦାନ

ଜଗନ୍ନାଥ ପ୍ରସାଦ ୩୦/୧୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୁରତରେ ପୁଣି ଅଙ୍ଗଦାନ କରି ଉଦାହରଣ ସୃଷ୍ଟି କଲେ, ମୃତ ଓଡ଼ିଆ ଶ୍ରମିକ । ତାଙ୍କର ମୃତ୍ୟୁପରେ କିଡନୀ ଏବଂ ଫୁସଫୁସ ଦାନ କରିବାକୁ ଅନୁମତି ଦେଲେ ପରିବାର ଲୋକେ । ମୃତ ଶ୍ରମିକ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ନିକଟସ୍ଥ ଶୋରିଷମୂଳୁ ଗ୍ରାମର ସ୍ବର୍ଗତ କାଳୁ ସ୍ୱାଇଁଙ୍କ ପୁଅ ସମ୍ବରା ସ୍ବାଇଁ (୪୪) । ସୂଚନା ପ୍ରକାରେ ଗତ ପ୍ରାୟ ୧୫ ବର୍ଷ ଧରି, ସୁରତର ସୂତାକଳରେ କାମ କରୁଥିଲେ ସମ୍ବରା । ତେବେ ଘଟଣା ଦିନ ସୂତାକଳ କାର୍ଯ୍ୟ ବନ୍ଦ ରହିଥିବାରୁ, ସେ ରହୁଥିବା ଓଲପାହାଡ ସ୍ଥିତ ଭଡାଘରର ଉପର ମହଲାରୁ ଓହ୍ଲାଇଥିବା ବେଳେ, ଗୋଡ ଖସିଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ସେଠାରୁ ତାଙ୍କୁ ନିକଟସ୍ଥ ସରକାରୀ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ବ୍ରେନ୍ ଡେଥ୍ ହେବାରୁ, ଅଙ୍ଗଦାନ କରିବାକୁ, ମେଡିକାଲ ପକ୍ଷରୁ ତାଙ୍କ ସମ୍ପର୍କୀୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ପରିବାର ଲୋକେ ଏବଂ ସେଠାରେ ଥିବା ସମ୍ପର୍କୀୟ ତଥା କିଛି ବନ୍ଧୁଙ୍କ ସହମତି ପ୍ରକାରେ ସମ୍ବରାଙ୍କ କିଡନୀ ଏବଂ ଲଙ୍ଗସ୍ ଦାନ କରାଯାଇଥିଲା । ପ୍ରକାଶ ଥାଉକି, ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ସ୍ତ୍ରୀ ଅଛନ୍ତି । ସେ ଘରର ଏକମାତ୍ର ରୋଜଗାରକ୍ଷମ ଥିବା ବେଳେ, ତାଙ୍କର ଏଭଳି ପରିସ୍ଥିତିରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ବୁଧବାର ଦିନ ତାଙ୍କ ମୃତଦେହ ଗାଁରେ ପହଞ୍ଚିବାର ସୂଚନା ରହିଛି । ଶୋରିଷମୂଳୁ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏଭଳି ପରିସ୍ଥିତିରେ ବିଡିପୁର ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ, ସମିତିସଭ୍ୟା ଗୀତାରାଣୀ ବାରିକ, ସମାଜସେବୀ ବିପ୍ରଚରଣ ବାରିକ, ଶିଶିର କାନ୍ତ ସାହୁ ଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶୋକ ପ୍ରକାଶ କରିବା ସହ, ସଂପୃକ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।