
ଭଞ୍ଜନଗର ୧୦/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଲାଲସିଂ ନର୍ସରୀ ଠାରେ ଜଙ୍ଗଲ ନିଆଁ ପ୍ରଶମନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଏସଡିପିଓ ଡ. ଦିପକ କୁମାର ମିଶ୍ର, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ.ଗଣେଶ ମହାନ୍ତି,ଭଞ୍ଜନଗର ବିଡିଓ ଭାରତୀ ଦେବି,ତହସିଲଦାର ଅଭିପ୍ସା ପଟ୍ଟନାୟକ,ଭଞ୍ଜନଗର ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର, ବେଲଗୁଣ୍ଠା ବିଡିଓ ଓ ଭଞ୍ଜନଗର ଅଗ୍ନିଶମ ଅଧିକାରୀ ପ୍ରମୁଖ ମଞ୍ଚାସୀନ ରହି ଜଙ୍ଗଲ ନିଆଁ ଲାଗିବାର କାରଣ ଏବଂ ନିରାକରଣ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ବିଶେଷ କରି ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ବ୍ୟାପିଥାଏ। ଏଥିପାଇଁ ପ୍ରତିକାର ବ୍ୟବସ୍ଥା ସ୍ଵରୂପ ଆଗୁଆ ପଦକ୍ଷେପ ନେବା ସହ ବିଭାଗୀୟ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ସମ୍ପୂର୍ଣ ସଜାଗ ରହିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ସମସ୍ତ ବନ ସୁରକ୍ଷା ସମିତିସ୍ତରରେ ଏ ନେଇ ବ୍ୟାପକ ସଚେତନତା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି। ଏହାପରେ ଜଙ୍ଗଲ ନିଆଁ ଲାଗିବାର କାରଣ ଏବଂ ନିରାକରଣ ଓ କିଭଳି ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ଜଙ୍ଗଲ ବିଭାଗ ପକ୍ଷରୁ ନିକଟସ୍ଥ ସୋରଦେବୀ ଜଙ୍ଗଲରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତିର ସଦସ୍ୟଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।