
ଭଂଜନଗର ୨୫/୦୨, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ, ବରଦାନ ସାଜିଲା ଅଦିନିଆ ବର୍ଷା । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ଗତ ମଙ୍ଗଳବାର ରାତିରେ ହୋଇଥିବା ବର୍ଷା ଏବେ ଜଙ୍ଗଲ ପାଇଁ ଆଶ୍ୱସ୍ତି ଆଣିଛି । ଏହି ଋତୁରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗଛ ପତ୍ରଝଡା ଦେଉଥିବାରୁ, ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ରହିଥାଏ । ଏଥିପାଇଁ ବନବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଏବଂ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । କୁହାଯାଏ ଫେବୃଆରୀ ଏବଂ ମାର୍ଚ୍ଚ ମାସର ଅଦିନିଆ ବର୍ଷା ସାଧାରଣତଃ ବନାଗ୍ନି ପ୍ରଶମନରେ ସହାୟକ ହୋଇଥାଏ । ତେବେ ସୋମବାର ରାତିରେ ହୋଇଥିବା ଏହି ଅଦିନିଆ ସାମନ୍ୟ ବର୍ଷା ଯୋଗୁଁ, ମୁଜାଗଡ, ଗାଲେରୀ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ଏବେ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ସାମୟିକ ଭାବେ ଟଳିଯାଇଛି । ଯାହାକି ବନକର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ମହଲରେ ଏବେ ଆଶ୍ଵସ୍ତି ଦେଖାଦେଇଛି ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି ।