
ଚୌଦ୍ୱାର (ଶିବବ୍ରତ ଦାସ ) ଟାଙ୍ଗୀର ଚକଚକିଆ ବିଲ୍ଡିଂ, ଭାରି ବିଜ୍ଞାପନ, ଭବିଷ୍ୟତର ସୁନେଲି ସ୍ଵପ୍ନ… କିନ୍ତୁ ଏହି “ସ୍ଵପ୍ନର ଦୁନିଆ”ରେ ଏବେ ଜଣେ ଛାତ୍ରଙ୍କ ନିରବ ଦେହାନ୍ତ ଭୟଙ୍କର ପ୍ରଶ୍ନ ଉଠାଇଦେଇଛି। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଡ୍ରିମ୍ସ ବିଶ୍ଵବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାର ଉପରେ ପ୍ରଶ୍ନ ଉଠୁଛି। ଫେବୃଆରୀ ୨୫ ରାତି ୨ଟାରେ ସୌମ୍ୟଙ୍କ ପରିବାରକୁ ଫୋନ—“ସୌମ୍ୟ ଗୁରୁତର।” ପ୍ରଶ୍ନ ହେଉଛି, ଯେଉଁ କ୍ୟାମ୍ପସରେ ୨୪ ଘଣ୍ଟା ସୁରକ୍ଷାର ଦାବି, ସେଠାରେ ବିଳମ୍ବିତ ରାତିରେ ଏମିତି ଘଟଣା କିପରି? ଯଦି “ଅଜଣା ଗାଡ଼ି ଧକ୍କା” କାହାଣୀ ସତ୍ୟ, ତେବେ ଛାତ୍ର କ୍ୟାମ୍ପସରୁ ବାହାରିକି ଗଲେ କିପରି? ଗେଟ୍ରେ ଥିବା ସୁରକ୍ଷା କର୍ମଚାରୀ କରୁଥିଲେ କଣ? ଡ୍ୟୁଟି କି ଘୁମ? ପରିବାରର ସଙ୍ଗୀନ ଅଭିଯୋଗ ହଷ୍ଟେଲ ରୁମରେ ଆକ୍ରମଣ, ଏବଂ ପରେ ଘଟଣାକୁ ଦୁର୍ଘଟଣାର ରଙ୍ଗ। ଯଦି ଏହା ସତ୍ୟ, ତେବେ ଏହା କେବଳ ଏକ ଘଟଣା ନୁହେଁ ଏହା ହେଉଛି ପରିଚାଳନାର ଦାୟିତ୍ୱ ହୀନତାର ଜୀବନ୍ତ ପ୍ରମାଣ। ଚିକିତ୍ସାରେ ଅବହେଳା ଅଭିଯୋଗ ଆଉ ଏକ କଠୋର ପ୍ରଶ୍ନ ମାନବଜୀବନ କି ଏଠାରେ କେବଳ ଭର୍ତ୍ତି ଫିସ୍ର ଅଂଶ? ସୌମ୍ୟଙ୍କ ବାପା ଟାଙ୍ଗୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି, ପୋଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଅଞ୍ଚଳବାସୀଙ୍କ ପ୍ରଶ୍ନ ତଦନ୍ତ କେବଳ ରିପୋର୍ଟ ପୂରଣ ପାଇଁ, ନା ସତ୍ୟକୁ ବାହାର କରିବା ପାଇଁ? ପୂର୍ବରୁ ଯେତେବେଳେ ଦୁର୍ନୀତି ଅଭିଯୋଗ ସାଙ୍ଗକୁ ଛାତ୍ରଛାତ୍ରୀଙ୍କୁ ଧମକ ଭଳି ଗୁରୁତ୍ଵ ଅଭିଯୋଗ ଆସିଛି, ପ୍ରଶାସନର ନିରବତା ତେବେ ଅନେକ କଥା କହିଥିଲା। ଏଥରେ ମଧ୍ୟ ସେଇ ପୁରୁଣା ଚିତ୍ର ପୁନରାବୃତ୍ତି ହେବ କି? ଶିକ୍ଷାକୁ ଢାଲ କରି ଯଦି କେବଳ ବ୍ୟବସାୟ ଚାଲିଥାଏ, ତେବେ ଏହା ଶିକ୍ଷାନୁଷ୍ଠାନ ନୁହେଁ ଏକ “କମର୍ସିଆଲ୍ ପ୍ରୋଜେକ୍ଟ”। ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ଏଠାରେ ପ୍ରଚାର ପତ୍ରର ଶବ୍ଦ ମାତ୍ର? ସୁରକ୍ଷା ଓ ନୀତି କେବଳ ଭର୍ତ୍ତି ସମୟରେ କୁହାଯାଉଥିବା ମିଠା ପ୍ରତିଶ୍ରୁତି? ଏକ ଯୁବ ଜୀବନ ନିରବ ହୋଇଗଲା। ଏବେ ଦାୟିତ୍ୱ କାହାର? ନାମ କ୍ଷାତ କରିଥିବା ଡ୍ରିମ୍ସ ପରିଚାଳନା କମିଟି ମୁହଁ ଖୋଲିବ, କି ନିରବତାର ଆଡ଼ରେ ଲୁଚିବ? ସରକାର ହସ୍ତକ୍ଷେପ କରି ସତ୍ୟକୁ ସାମ୍ନାକୁ ଆଣିବେ କି? “ଡ୍ରିମ୍ସ” ନାମ ରହିଲା, କିନ୍ତୁ ଏବେ ପ୍ରଶ୍ନ ଏହା ଛାତ୍ରଙ୍କ ସ୍ଵପ୍ନ ଗଢ଼ୁଛି, ନା ସ୍ଵପ୍ନକୁ ଭାଙ୍ଗୁଛି? ସୌମ୍ୟଙ୍କ ମୃତ୍ୟୁ ଯଦି କେବଳ ଆଉ ଗୋଟିଏ ଖବର ହୋଇ ରହିଯାଏ, ତେବେ ସମାଜର ନିରବତା ମଧ୍ୟ ଦାୟୀ ହେବ। କିଟ୍ ୟୁନିଭର୍ସିଟୀ ରେ ଘଟିଥିବା ଘଟଣାକୁ ବାରମ୍ବାର ଗଳା ଫଟାଇ ଚିତ୍କାର କରୁଥିବା ଗଣମାଧ୍ୟମ ସଂସ୍ଥା ଏବେ ନିରବ କାହିଁକି, କେବେ ଏହି ଡ୍ରିମ୍ସ ବିଶ୍ଵବିଦ୍ୟାଳୟ ରେ ହେଉଥିବା ଦୁର୍ନୀତି ଖବର ଶିରୋନାମା ରେ ସ୍ଥାନ ପାଇବ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି।