
ଭୁବନେଶ୍ୱର (ଓଡ଼ିଶା ଟୁଡେ): ୫-ଟି ସଚିବଙ୍କ ଆସିକା ଗସ୍ତ ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ପ୍ରସ୍ତାବିତ ଜିଲ୍ଲା ନକ୍ସା ରେ ଅଛି ଆସିକା, ପୋଲସରା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ହିଞ୍ଜିଳିକାଟୁ, ଧରାକୋଟ ଏବଂ ଶେରଗଡ଼ । ତେବେ କବିସୂର୍ଯ୍ୟନଗର, ସାନଖେମୁଣ୍ଡି ଭଳି ବ୍ଲକ୍ ର ଜନସାଧାରଣ ଆସିକା ସହ ଯୋଡ଼ି ହେବାକୁ ଚାହୁଁ ନ ଥିବା ବେଳେ ସେମାନେ ମୂଳ ଗଞ୍ଜାମ ଜିଲ୍ଲା ସହ ରହିବାକୁ ଚାହୁଁଛନ୍ତି । ସେହିପରି ଧରାକୋଟ ଏବଂ ଶେରଗଡ଼ ଜନସାଧାରଣ ପ୍ରସ୍ତାବିତ ଋଷିକୁଲ୍ୟା ଜିଲ୍ଲାର ଅଂଶ ନହୋଇ ପ୍ରସ୍ତାବିତ ଘୁମୁସର ଜିଲ୍ଲାର ଅଂଶ ହେବାକୁ ଚାହୁଁଥିବା ଜଣା ପଡ଼ିଛି। ଗଞ୍ଜାମ ଜିଲ୍ଲା ଭିତର କନ୍ଦଳ ସରୁନଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାର ରାଇକିଆ, ଉଦୟଗିରି ଏବଂ ଟିକାବାଲି ବ୍ଲକ୍ ପ୍ରସ୍ତାବିତ ଘୁମୁସର ଜିଲ୍ଲା ସହ ରହିବାକୁ ଚାହୁଁଛନ୍ତି । କନ୍ଧମାଳର ଏହି ତିନିଟି ବ୍ଲକ୍ ର ସମର୍ଥନ ଥିବା ସତ୍ତ୍ବେ କେବଳ ବିବାଦ ଏବଂ ଜଟିଳତା ରୁ ଦୂରେଇ ରହିବାକୁ ଘୁମୁସର ବାହିନୀ ସଂଗଠନ, ବାର୍ ଆସୋସିଏସନ୍, ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି କନ୍ଧମାଳର ଉପରୋକ୍ତ ବ୍ଲକ୍ ଗୁଡ଼ିକୁ ପ୍ରସ୍ତାବିତ ନକ୍ସା ରେ ଅନ୍ତର୍ଭୁକ୍ତ କରିନାହିଁ । ‘ଯଦି ଜିଲ୍ଲା ଗଠନ ହୁଏ, ଆଗକୁ ସେମାନେ କେଉଁ ଜିଲ୍ଲାରେ ରହିବେ, ତାହା ସରକାର ସୁନିଶ୍ଚିତ କରିବେ, ବର୍ତ୍ତମାନ ଆମେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା, ସୋରଡା, ବେଲଗୁଣ୍ଠା, ଧରାକୋଟ, ଆସିକା ଓ ଶେରଗଡ଼ ଆଦି ୮ଟି ବ୍ଲକ୍ କୁ ନେଇ ଘୁମୁସର ଜିଲ୍ଲା ଦାବି ଉପସ୍ଥାପନ କରୁଛୁ’ ବୋଲି ଉପରୋକ୍ତ ସଂଗଠନ ମାନେ ଜଣାଇଛନ୍ତି । ଘୁମୁସର ଜିଲ୍ଲା ଗଠନ ଅଞ୍ଚଳବାସୀଙ୍କ ହକ ଓ ଅଧିକାର, ଜିଲ୍ଲା ହେବା ନେଇ ସବୁ ପ୍ରକାର ଅନୁକୂଳ ପରିସ୍ଥିତି ଅଛି । ତେଣୁ ଆମେ ଜିଲ୍ଲା ଦାବି କରୁଛୁ ବୋଲି ଜଣାଇଛନ୍ତି ଘୁମୁସର ବାହିନୀର ସଦସ୍ୟ ନଚିକେତା ପ୍ରଧାନ ଓ ମାଧବ ନାୟକ, ମିଳିତ କ୍ରିୟାନୁଷ୍ଠାନ କମିଟିର ସୋମନାଥ ନାୟକ, ଶିବରାମ ପଣ୍ଡା ଓ ପ୍ରକାଶ ଚନ୍ଦ୍ର ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ।