
ବାଲିପଦର :-୨୩. ୩:- (ପ୍ରକାଶ ଚନ୍ଦ୍ର ପାତ୍ର) ଆଜି ଦିବା ୧୧ ଘଣ୍ଟା ସମୟରେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲ କଲେଜ ଠାରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପରୀକ୍ଷାଗାର ପରିଚାରକ ହିମାଂଶୁ ଶେଖର ମିଶ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ଶର୍ଯ୍ୟା ନିକଟରେ ଧର୍ମ ପତ୍ନୀ, ଦୁଇ ପୁଅ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶ୍ରୀ ମିଶ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୯୯୩ ମସିହା ଠାରୁ ସେବା କାର୍ଯ୍ୟ କରିଆସୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ପ୍ରାୟ ଏକ ମାସ ହେବ ବ୍ରହ୍ମପୁର ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ସେ ଜଣେ ମେଳାପୀ, ମିଷ୍ଟଭାସି,କର୍ତ୍ତବ୍ୟ ପରାୟଣ ଓ ପାରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଓ ବାଲିପଦର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଆତ୍ମାର ସଦଗତି ପାଇଁ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସରୋଜକାନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଶ୍ରୀ ମିଶ୍ରଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଯୁକ୍ତ -୨ ଓ ଯୁକ୍ତ -୩ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିବା ସଙ୍ଗେସଙ୍ଗେ ଅମର ଆତ୍ମାର ସଦଗତି କାମନା କରିଥିଲେ।