
ଭଞ୍ଜନଗର ୨୫/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି। ସେ ପ୍ରାୟ ୬ବର୍ଷ ଧରି ଭଞ୍ଜନଗର ଜଳସମ୍ପଦ ବିଭାଗରେ କାର୍ଯ୍ୟ କରିଆସୁଥିଲେ। ଆଜି ଏକା ସମୟରେ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଭିଜିଲାନ୍ସର ୩ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ମିଳିତ ଭାବେ, ବ୍ରହ୍ମପୁର ଭିଜିଲାନ୍ସ ବିଶେଷ ନ୍ୟାୟାଧୀଶଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଗଞ୍ଜାମ ଜିଲାର ୫ଟି ସ୍ଥାନରେ ଏକା ସମୟରେ ଚଢାଉ ଚାଲିଛି। ସେଗୁଡ଼ିକ ହେଲା ବସନ୍ତ ବିହାର, ବ୍ରହ୍ମପୁରରେ ଅବସ୍ଥିତ ବାସଗୃହ, ଭଞ୍ଜନଗର ସରକାରୀ କ୍ୱାର୍ଟର,ଭଞ୍ଜନଗର ଅଫିସ କାର୍ଯ୍ୟାଳୟ, ପୋଲସରାରେ ପୈତୃକ ଘର, ବୀମା ନଗର, ବ୍ରହ୍ମପୁରରେ ଆତ୍ମୀୟଙ୍କ ଘରେ ଚଢ଼ାଉ ଚାଲିଛି।