ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ ତରଫରୁ ବିଭିନ୍ନ ଦାବି ନେଇ ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ

ବେଲଗୁଣ୍ଠା ୨୬/୦୩ (ବିନାୟକ ଗୌଡ଼): ବୁଧୁବାର ଦିନ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ ତରଫରୁ କଳାକାର ମାନଙ୍କର ବିଭିନ୍ନ ଦାବି ନେଇ ଏକ ସ୍ମାରକପତ୍ର ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଳାକାର ବେଲଗୁଣ୍ଠା ବ୍ଲକ ଛକ ନିକଟରୁ ବାଜା ବାଜଣା ବଜାଇ ଏକ ଶୋଭାଯାତ୍ରାରେ ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବ୍ଲକ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ପରେ ସ୍ଥାନୀୟ ବିଡ଼ିଓ ପି.ସିଙ୍ଗିପୁରମ ହରିଙ୍କୁ ସାକ୍ଷାତ କରି ୧୦ ଦଫା ଦାବି ସମ୍ବଳିତ ଦୁଇଟି ସ୍ମାରକପତ୍ରକୁ ଗଞ୍ଜାମ ଜିଲ୍ଲାପାଳ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ସଚିବଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିବା ବେଳେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ରକୁ ବିଡ଼ିଓଙ୍କ ପରାମର୍ଶ କ୍ରମେ ଡ଼ାକ ବିଭାଗ ମାଧ୍ୟମରେ ପ୍ରେରଣ କରିଥିଲେ । ସଂଘର ବିଭିନ୍ନ ଦାବି ସମ୍ପର୍କରେ ସଂଘ କର୍ମକର୍ତ୍ତା ମାନେ ବିଡ଼ିଓ ଓ ଏବିଡ଼ିଓଙ୍କ ସହ ଆଲୋଚନା କରିଥିଲେ । କଳାକାର ମାନଙ୍କ ବିଭିନ୍ନ ଦାବି ମଧ୍ୟରେ ଲୋପ ପାଇବାକୁ ବସିଥିବା ଲୋକ ନାଟକ ଗୁଡ଼ିକୁ ଚିହ୍ନଟ ସହ ପୁନଃ ପ୍ରଚଳନ କରିବା ପାଇଁ ଦାବି ହୋଇଥିବା ବେଳେ କଳା ଅନୁଷ୍ଠାନ ଗୁଡ଼ିକୁ ସଂସ୍କୃତି ବିଭାଗ ଦ୍ଵାରା ତାଲିକା ଭୁକ୍ତ କରାଯାଇ ଅବକାଶ ସହାୟତା ଯୋଗାଇ ଦେବା ,ପ୍ରତ୍ୟେକ ବ୍ଲକରେ ପ୍ରେକ୍ଷାଳୟ ସ୍ଥାପନ, କଳାକାର ଭତ୍ତା ଅନ୍ୟୁନ ୫ ହଜାର ଟଙ୍କାକୁ ବୃଦ୍ଧି ସହ ଫେମିଲି ପ୍ୟାନସନ ମାନ୍ୟତା ପ୍ରଦାନ,ନାଟକ ଓ ସଙ୍ଗୀତ ମହାବିଦ୍ୟାଳୟ ସ୍ଥାପନ ,ବ୍ଲକ କଳାକାର ସଂଘର ଉପସଭାପତି ଙ୍କୁ ପରିବର୍ତ୍ତନ କରି ନୂତନ କମିଟି ଗଠନ,କେନ୍ଦ୍ର ସରକାରଙ୍କ କଳାକାର ଭତ୍ତା ବୃଦ୍ଧି ସହ ରାଜ୍ୟ ହିତାଧିକାରୀ ସଂଖା ବୃଦ୍ଧି ପାଇଁ ସୁପାରିଶ, ସହରାଞ୍ଚଳରେ ନାଟ୍ୟାଭ୍ୟାସ ଗୃହ ନିର୍ମାଣ, କଳାକାର ଭତ୍ତା ପାଇଁ ନିରପେକ୍ଷ ଚୟନ ପ୍ରକ୍ରିୟା ଅବଲମ୍ବନ, ଭତ୍ତା ପାଉଥିବା କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ ଆଦି ରହିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘର ଉପଦେଷ୍ଟା ପ୍ରଶାନ୍ତ କୁମାର ଜେନା, ସଭାପତି ସୁରେନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ନାରାୟଣ ଗୌଡ଼, ଉପସଭାପତି ଶିବରାମ ରାଉତ, ସମ୍ପାଦକ ରଞ୍ଜିତ କୁମାର ପାତ୍ର ,ସହ ସମ୍ପାଦକ ରମେଶ ଗୌଡ଼, କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଗୌଡ଼ ପ୍ରମୁଖଙ୍କ ସହ କେଦାର ମହାପାତ୍ର, ସନାତନ ରଣା, ଦେବରାଜ ବିଷୋୟୀ, ଗଣେଶ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟରାମ ଗୌଡ଼, ଇନ୍ଦ୍ରମଣି ଗୌଡ଼ଙ୍କ ସହ ଅନ୍ୟାନ୍ୟ ବହୁ ବରିଷ୍ଠ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ନାଟେଙ୍ଗା ଶିବ ମନ୍ଦିର ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ।