ପଟା ମିଳିଲା, ଆବାସ ମିଳିଲା! ତଥାପି ସରକାରୀ ଜମିରେ ସ୍ଥାୟୀ ଠିକଣା !

ଚୌଦ୍ୱାର (ଶିବବ୍ରତ ଦାସ ) ସରକାରୀ ଯୋଜନାର ଲକ୍ଷ୍ୟ ଗରିବ ଓ ପ୍ରକୃତ ଭୂମିହୀନଙ୍କୁ ସହାୟତା—କିନ୍ତୁ ଟାଙ୍ଗୀ ଚୌଦ୍ବାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ସୁକୁଆସାହି ବସ୍ତି ରେ ଦେଖିବାକୁ ମିଳୁଛି ଏକ ନୂଆ “ମଡେଲ୍”। ୨୦୧୯-୨୦ ମସିହାରୁ
ପଟା ମିଳିଲା, ଆବାସ ମିଳିଲା ତଥାପି ସରକାରୀ ଜମି ଛାଡ଼ିବାରେ ମନ ନାହିଁ! ଲାଗୁଛି, ସରକାରୀ ଜମି ଏବେ ଯୋଜନାର ଅତିରିକ୍ତ ବୋନାସ! ଟାଙ୍ଗୀ ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତର ଶୁଖୁଆ ସାହି ବସ୍ତିରେ ଘଟିଥିବା ଏହି ଘଟଣା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିଛି ବର୍ଷ ତଳେ ନିଜ ଭିଟାମାଟି ଛାଡ଼ି ଏଠାକୁ ଆସିଥିବା କେତେକ ପରିବାର—ଯେଉଁମାନଙ୍କର ପୌତ୍ରିକ ସମ୍ପତ୍ତି ଥିବା କଥା ଗାଁରେ ଖୋଲା ରହସ୍ୟ। ସେମାନେ ଆଜି ଭୂମିହୀନ ଟାଗ୍ ନେଇ ପଟା ଓ ଆବାସ ଦୁଇଟି ଲାଭ ଉଠାଇଛନ୍ତି। ବାସ୍ତବରେ ଯୋଜନା କାହା ପାଇଁ? ପ୍ରକୃତ ଅଭାବୀଙ୍କ ପାଇଁ, ନା “ଯୋଗ୍ୟତା ତିଆରି କରିପାରୁଥିବା” ଚତୁରମାନଙ୍କ ପାଇଁ? ଏହି କାହାଣୀର ସବୁଠୁ ଚମତ୍କାର ଅଂଶ ହେଉଛି ସବୁ ସୁବିଧା ମିଳିବା ପରେ ମଧ୍ୟ ସରକାରୀ ଜମି ଛାଡ଼ିବାକୁ ଅରାଜି! ତେବେ ଏହାକୁ କଣ କହିବେ? ଅଧିକାର ନା କି ଅବୈଧ ଦଖଲକୁ ନୂଆ ନାମ? ଗାଁରେ ଏବେ ଖୋଲା ଆଲୋଚନା। ଏହି ସବୁ ଘଟଣା ପଛରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କର ଚକ୍ରାନ୍ତ ରହିଛି। ନିରୀହ ଆଦିବାସୀଙ୍କୁ ଆଗକୁ ରଖି, ପଛରେ କିଏ ଖେଳ ଖେଳୁଛି, ଖୁବ୍ ଶୀଘ୍ର ତଦନ୍ତ କରାଯାଇ ଏଥିରୁ ପର୍ଦା ଉଠାଇ ବାକୁ ଜନତାଙ୍କ ଦାବି ହେଉଛି। ତେବେ ତଦନ୍ତ କରିବାକୁ ଆସିଥିବା ପ୍ରଶାସନିକ ଅଧିକାରୀ ଏମାନଙ୍କର ବାସ୍ତବ ସ୍ଥିତି, ଜମିବାଡ଼ି ଓ ଘର ଦ୍ୱାର ସଠିକ୍ ଢଙ୍ଗରେ ଯାଞ୍ଚ କରିଥିଲେ କି? ନା କି ଫାଇଲ୍ ଉପରେ କଲମ ଚାଲିଗଲା ଓ ସତ୍ୟ ଫାଇଲ୍ ଭିତରେ ହିଁ ଚାପି ହୋଇ ପଡ଼ିରହିଲା? ଆଜି ପଞ୍ଚାୟତର ସାଧାରଣ ଲୋକଙ୍କ ପ୍ରଶ୍ନ “ଯୋଜନା ଚାଲିଛି କି, ନା ଚତୁରମାନଙ୍କ ପାଇଁ ସୁବିଧା କେନ୍ଦ୍ର ଖୋଲାଯାଇଛି?” ଖବର ପ୍ରସାରଣ ପରେ ନିରପେକ୍ଷ ତଦନ୍ତ ହେବ ବୋଲି ଆଶା କରାଯାଉଛି। ସତ୍ୟ ବାହାରିବ, ନା ଆଉ ଗୋଟେ ଫାଇଲ୍ ମଧ୍ୟରେ ହିଁ ଅଦୃଶ୍ୟ ହୋଇଯିବ? ମୂଲ୍ୟବାନ ସରକାରୀ ଜମି ମୁକ୍ତ ହେବ, ନା “ଡବଲ୍ ଲାଭ” ମଡେଲ୍‌କୁ ଆହୁରି ମଜବୁତ କରାଯିବ? ଏବେ ସମୟ କହିବ ନ୍ୟାୟ ଜିତିବ, ନା ଯୋଜନା ନାଁରେ ଚାଲୁଥିବା ଖେଳ।