ବଡ଼ଦାଣ୍ଡରେ ହଜିଛି ଓଡ଼ିଆ ପ୍ରୀତି, ଯୁଆଡ଼େ ଦେଖିଲେ ମାଳମାଳ ଇଂରାଜୀ ଫଳକ

ପୁରୀ, ୦୧/୦୪(ବଳରାମ ତ୍ରିପାଠି ): ସବୁଠି ଝଲସିବ ଓଡ଼ିଆ ଅସ୍ମିତା । ମୁଁ ଓଡ଼ିଆ ବୋଲି ସଗର୍ବେ ସଭିଏଁ ପରିଚୟ ଦେବେ । ମାତୃଭାଷା ଓଡ଼ିଆ ପାଇବ ସର୍ବାଗ୍ରେ ସ୍ଥାନ । ସରକାରୀ ଅନୁଷ୍ଠାନ ହେଉ କି ବେସରକାରୀ ବ୍ୟାବସାୟିକ ପ୍ରତିଷ୍ଠାନ ସବୁଠି ନାମଫଳକ ଓଡ଼ିଆରେ ରହିବ । ସରକାରୀ ଗାଡ଼ିରେ ମଧ୍ୟ ଓଡ଼ିଆ ଭାଷାକୁ ପ୍ରାଥମିକତା ଦିଆଯିବ । ଏହି ସବୁ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ରହିଛି । ହେଲେ ପୁରୀରେ ତୁଟି ପାରୁନି ଇଂରାଜୀ ମୋହ । ସରକାରୀ ପ୍ରତିଷ୍ଠାନଠାରୁ ଆରମ୍ଭ କରି ବ୍ୟାବସାୟିକ ଅନୁଷ୍ଠାନ ସବୁଠି ଓଡ଼ିଆ ଭାଷା ଉପରେ ପ୍ରଭୁତ୍ୱ ଜାହିର କରିଛି ଇଂରାଜୀ । ସରକାରୀ ଅଧିକାରୀ ନିଜ ଗାଡ଼ିରେ ଇଂରାଜୀ ଫଳକ ଲଗାଇ ବୁଲୁଥିବା ବେଳେ ସାଧାରଣ ଜନତା ସଚେତନ ହେବା ସାତସପନ ପାଲଟିଛି ।ଆଜି ସବୁଠି ଓଡ଼ିଆ ଦିବସ ପାଳନ କରାଯାଉଥିବା ବେଳେ ପୁରୀରେ ନାମଫଳକରୁ ଓଡ଼ିଆ ଅସ୍ମିତା ଉଭେଇ ଚାଲିଛି । ହଜିଯାଉଛି ଓଡ଼ିଆ ପ୍ରୀତି । ପୁରୀର ଗଳି କନ୍ଦିରେ ରାଜୁତି କରୁଛି ବଙ୍ଗଳା ଭାଷା । ନିୟମ ଅନୁଯାୟୀ, ନାମଫଳକରେ ମାତୃଭାଷା ଓଡ଼ିଆ ସବୁଠାରୁ ଉପରେ ରହିବ । ମଝିରେ ରାଷ୍ଟ୍ରଭାଷା ହିନ୍ଦୀ ଓ ଶେଷରେ ଇଂରାଜୀ କିମ୍ବା ଅନ୍ୟାନ୍ୟ ଭାଷା ରହିବ । କେବଳ ସେତିକି ନୁହେଁ ନାମ ଫଳକରେ ବ୍ୟବହୃତ ହୋଇଥିବା ବିଭିନ୍ନ ଭାଷାର ଲିପି ମଧ୍ୟରେ ଓଡ଼ିଆ ଭାଷା ଛୋଟ ହୋଇପାରିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି । ହେଲେ ଏହି ସବୁ ନିୟମ ପୁରୀରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ପୁରୀ ବେଳାଭୂମିଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ଓଡ଼ିଆ ଉଭାନ ହେବାରେ ଲାଗିଛି । ସମୁଦ୍ରକୂଳରେ ଥିବା ବଜାରରେ ଓଡ଼ିଆ ଭାଷା କାଁ ଭାଁ ବ୍ୟବହାର କରାଯାଉଛି । ଏହି ବଜାରରେ ଥିବା ପ୍ରାୟତଃ ପ୍ରତ୍ୟେକଦୋକାନ ବଙ୍ଗଳା ଭାଷାକୁ ଅଗ୍ରାଧିକାର ଦେଉଛନ୍ତି । ୮୦ ଭାଗ ଦୋକାନରେ ବଡ଼ ବଡ଼ ବଙ୍ଗାଳୀ ଫଳକ ଲଗାଯାଇଛି । ଯେଉଁ ହାତଗଣତି ଦୋକାନୀ ଓଡ଼ିଆ ବ୍ୟବହାର କରିଛନ୍ତି ସେଠାରେ ଓଡ଼ିଆ ଭାଷାକୁ ଛୋଟ କରି ପ୍ରଦର୍ଶିତ କରାଯାଇଛି ।ପୁରୀର ବିଭିନ୍ନ ହୋଟେଲ୍‌ ସମେତ ସରକାରୀ ଗେଷ୍ଟ ହାଉସ୍‌ର ଫଳକରେ ମଧ୍ୟ ଓଡ଼ିଆ ବ୍ୟବହାର କରାଯାଉନାହିଁ । ସେହିପରି ଅନେକ ରାଷ୍ଟ୍ରାୟତ ବ୍ୟାଙ୍କ ଫଳକରେ ଓଡ଼ିଆକୁ ଅଣଦେଖା କରାଯାଉଛି । କେଉଁଠି ଓଡ଼ିଆକୁ ସବା ଶେଷରେ ରଖାଯାଇଛି ତ କେଉଁଠି ଫଳକରେ କେବଳ ଇଂରାଜୀ ଏବଂ ହିନ୍ଦୀରେ ବ୍ୟାଙ୍କର ନାମ ଲେଖାଯାଇଛି । ସମସ୍ତ ସରକାରୀ ଗାଡ଼ିର ନାମଫଳକ ଓଡ଼ିଆରେ ଲେଖାଯିବ ବୋଲି ମଧ୍ୟ ନିୟମ ରହିଛି । ହେଲେ ପୁରୀର ଅନେକ ସରକାରୀ ଅଧିକାରୀଙ୍କ ଗାଡ଼ିରେ ଓଡ଼ିଆ ବ୍ୟବହାର ହୋଇନାହିଁ । ଓଡ଼ିଆରେ ନାମଫଳକ ଲେଖିବା ପାଇଁ ସଚେତନ କରିବାକୁ ପୁରୀ ପୌରପାଳିକାର ପ୍ରମୁଖ ଭୂମିକା ରହିଛି । ହେଲେ ଖୋଦ୍‌ ପୁରୀ ପୌରପାଳିକାର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ଙ୍କ ଗାଡ଼ିର ଫଳକ ସଂପୂର୍ଣ୍ଣ ଇଂରାଜୀରେ ରହିଛି ।ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡରେ ଥିବା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନର ଫଳକ ପରିବର୍ତ୍ତନ କରାଯାଇଥିଲା । ମାଟିଆ ରଙ୍ଗର ଫଳକରେ ପ୍ରତିଷ୍ଠାନର ନାମ ଲେଖି ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିଲା । ଏହି ଫଳକରେ ପ୍ରଥମେ ଓଡ଼ିଆରେ ପରେ ଇଂରାଜୀରେ ନାମ ଲେଖାଯାଇଥିଲା । ହେଲେ ଏବେ ଅନେକ ବ୍ୟବସାୟୀ ସରକାରୀ ଫଳକକୁ ହଟାଇ ପୁନଃ ଇଂରାଜୀ ନାମଫଳକ ଲଗାଇଛନ୍ତି । ୭୦ ଭାଗ ଦୋକାନୀ ଓଡ଼ିଆ ନାମଫଳକ ହଟାଇ ଇଂରାଜୀ ଫଳକ ଲଗାଇଛନ୍ତି । ବଡ଼ଦାଣ୍ଡକୁ ଛାଡ଼ିଦେଲେ ଅନ୍ୟ ପ୍ରମୁଖ ରାସ୍ତାମାନଙ୍କରେ ମଧ୍ୟ ମାଳମାଳ ଇଂରାଜୀ ଫଳକ ଦେଖିବାକୁ ମିଳୁଛି ।