ଟାଙ୍ଗୀ ପୋଲିସ ଜାଲରେ ଡ୍ରାଇଭର, ହେଲପର; ୨୩ ଟନ୍ ହାର୍ଡ କୋକ୍ ସହ ଟ୍ରକ ଜବତ

ଚୌଦ୍ୱାର (ଶିବବ୍ରତ ଦାସ )ବିନା କାଗଜପତ୍ରରେ ଚାଲିଥିଲା ଅବୈଧ ବ୍ୟବସାୟ, ଆଉ ଜଗି ରହିଥିଲା ଟାଙ୍ଗୀ ପୋଲିସ। ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ନିକଟରେ ଥିବା ପୁରୁଣା ଟୋଲ୍ ପ୍ଲାଜା ନିକଟରେ ଟାଙ୍ଗୀ ପୋଲିସ୍ ରୁଟିନ୍ ଯାଞ୍ଚ ସମୟରେ ଧରାପଡ଼ିଲା ଗୋଟିଏ ବଡ଼ ଅବୈଧ ଖେଳ। ୧୨ ଚକିଆ ଟ୍ରକ ଯାହାର ନମ୍ବର (ଏଚ-୫୫-ଭି-୫୭୭୭) କୁ ଅଟକାଇ ଯାଞ୍ଚ କରିବାକୁ ଯିବାରୁ ସତ୍ୟ ବାହାରିଲା। ପୋଲିସ ର ସୂଚନା ଅନୁଯାୟୀ ଟ୍ରକ୍‌ରେ ଥିଲା ପ୍ରାୟ ୨୩ ଟନ ର ହାର୍ଡ କୋକ। କିନ୍ତୁ ଡ୍ରାଇଭରଙ୍କ ପାଖରେ ନଥିଲା କୌଣସି ବୈଧ କାଗଜପତ୍ର। ଡ୍ରାଇଭର ଏମ.ଡି ୱାକେଲ ଓ ହେଲ୍ପର ଅତିକୁର ରହମନ୍ ଉଭୟଙ୍କୁ ପୋଲିସ୍ ର ପଚରା ଉଚରାରେ ମୁହଁ ଖୋଲିଦେଲେ।ସେମାନେ ଟ୍ରକ୍ ମାଲିକଙ୍କ ନିର୍ଦ୍ଦେଶରେ ଏହି ହାର୍ଡ କୋକ୍ କୁ ଅବୈଧ ଭାବରେ ବିକ୍ରୟ ପାଇଁ ନେଉଥିଲେ ବୋଲି ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ।ଏତେ ବଡ଼ ପରିମାଣର ଅବୈଧ ପରିବହନ କେମିତି ଚାଲୁଥିଲା? ଏହା ପଛରେ କିଏ ମୁଖ୍ୟ ଖଳନାୟକ? ଟାଙ୍ଗୀ ପୋଲିସ୍ ଦ୍ୱାରା ଉକ୍ତ ଟ୍ରକ୍‌ଟିକୁ ଜବତ କରାଯାଇଥିବା ସହ ଡ୍ରାଇଭର ଓ ହେଲପରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏବେ ଦେଖିବାକୁ ରହିଲା ପୋଲିସ୍ ତଦନ୍ତ କେବଳ ଡ୍ରାଇଭର ଓ ହେଲ୍ପର ପର୍ଯ୍ୟନ୍ତ ସୀମିତ ରହିବ, କି ମୂଳ ଚକ୍ରାନ୍ତ କାରୀଙ୍କୁ ଗିରଫ କରାଯିବ।