ବୁଲିଲା ବୁଲଡୋଜର୍, ହଟିଲା ଜବରଦଖଲ; ଠାକୁରାଣୀ ଯାତ୍ରା ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନର ପଦକ୍ଷେପ

ଭଞ୍ଜନଗର ୧୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ।ଯାତ୍ରା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ହୋଟେଲ ଗୁଡିକରେ ଯେଭଳି ଭଲ ଖାଦ୍ୟ ମିଳିବ, ସେଥିପାଇଁ ପ୍ରଶାସନ, ପୋଲିସ, ମ୍ୟୁନିସିପାଲଟି ପକ୍ଷରୁ ମିଳିତ ଭାବେ ଶନିବାର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି। ମୁଖ୍ୟ ସଡ଼କରେ ବ୍ୟବସାୟ କରୁଥିବା ଉଠା ବ୍ୟବସାୟୀଙ୍କୁ ଶନିବାର ଉଚ୍ଛେଦ କରାଯାଇଛି। ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅବିନାଶ ମହାର, ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଏସ ଆଇ ସମୀର କୁମାର ସେଠୀ, ଫୁଡ ଇନ୍ସପେକ୍ଟର ପ୍ରମୁଖ ସହରର ମୁଖ୍ୟ ରାସ୍ତା ସମେତ ସହରକୁ ସଂଯୋଗ କରୁଥିବା ବିଭିନ୍ନ ସାହିର ରାସ୍ତା ଉପରୁ ଜବରଦଖଲ ହଟାଇଛନ୍ତି। ଏଥିସହ ଯେଉଁ ସ୍ଥାୟୀ ଦୋକାନୀ ଆଗକୁ ମାଡ଼ି ବସି ବ୍ୟବସାୟ କରିଥିଲେ ସେଗୁଡିକୁ ବୁଲଡୋଜର ଲଗାଇ ହଟାଯାଇଛି। ପୁଣି ଜବରଦଖଲ ହେଲେ ସେମାନଙ୍କ ବିରୋଧରେ ଆଗକୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି।

ଭଞ୍ଜନଗର ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର। ଏଠାରେ ଏକାଧିକ ସରକାରୀ କାର୍ଯ୍ୟାଳୟ ସମେତ ବେସରକାରୀ ପ୍ରତିଷ୍ଠାନ ରହିଛି। ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରୁଥିବାରୁ ଅଧିକାଂଶ ସମୟରେ ସହରର ମୁଖ୍ୟ ରାସ୍ତା ଭିଡ ରହିଥାଏ। ରାସ୍ତା ଜବରଦଖଲ ଯୋଗୁ ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳରେ ସମସ୍ୟା ହୋଇଥାଏ।ଏହା ସହ ସହରର ଅନେକ ଛୋଟ ବଡ଼ ହୋଟେଲରେ ବାସିଖାଦ୍ୟ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ଏଥିସହ ହୋଟେଲ ଗୁଡିକରେ ନିମ୍ନମାନର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ଏନେଇ ପ୍ରସାଶନ ପାଖରେ ଅନେକ ସମୟରେ ଅଭିଯୋଗ ହୋଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଅନ୍ୟ ବିଭାଗ ସହଯୋଗରେ ଶନିବାର ମିଳିତ ଭାବେ ହୋଟେଲ ଉପରେ ଚଢ଼ାଉ କରାଯାଇଛି। ଏହି ସମୟରେ ଅନେକ ହୋଟେଲରୁ ବାସି ଖାଦ୍ୟ ଫ୍ରିଜ ଭିତରୁ ଜବତ କରାଯାଇଥିଲା। ଏନେଇ ସମ୍ପୃକ୍ତ ହୋଟେଲ ଉପରେ ଜରିମନା ସହ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ବେନିୟମ ପଲିଥିନ କାରବାର ଉପରେ ମଧ୍ୟ ଚଢ଼ାଉ ହୋଇଥିଲା।ଏହା ସହ ଟ୍ରେଡ ଲାଇସେନ୍ସ ମଧ୍ୟ ଯାଞ୍ଚ ହୋଇଥିଲା। ଯେଉଁଠି ବେନିୟମ କାର୍ଯ୍ୟ ଧରାପଡ଼ିବ ସେହି ଦୋକାନକୁ ସିଲ କରାଯିବ। ଚଢାଉ ସରିବା ପରେ ଚୂଡ଼ାନ୍ତ ରିପୋର୍ଟ ଆସିବ। ଏହାପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ ବୋଲି ଜଣାପଡିଛି।