ଭୟ କି ସତ୍ୟର ଛାୟା? ଆଗୁଆ ଜାମିନ୍ ନେଇ ପ୍ରଶ୍ନରେ ଅଧିକ୍ଷକ।ଗିରଫ ପୂର୍ବରୁ ସୁରକ୍ଷା, କେଉଁ ଭୟ ଘେରିଛି?

ଚୌଦ୍ଵାର (ଶିବବ୍ରତ ଦାସ ): ଚୌଦ୍ଵାର ମଣ୍ଡଳ କାରାଗାରକୁ କେନ୍ଦ୍ର କରି ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ପୁର୍ବତନ ଜେଲର ସନ୍ତୋଷିନି ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିବା ସହିତ, ବର୍ତ୍ତମାନର ଜେଲ୍ ଅଧିକ୍ଷକ ସୁଜିତ ରାଉଳ ହାଇକୋର୍ଟରେ ଆଇନ୍ ର ଦ୍ୱାରସ୍ଥ ହୋଇ ଆଗୁଆ ଆନ୍ତରିଣ ଜାମିନ୍ ନେଇଥିବା ଖବର ଆସିଛି। ସୂଚନା ଅନୁଯାୟୀ, ଗିରଫ ହେବାର ସମ୍ଭାବନା ଅନୁମାନ କରି ସୁଜିତ ରାଉଳ ପୂର୍ବରୁ ଆଇନୀ ସୁରକ୍ଷା ନେଇଛନ୍ତି। ପ୍ରଶ୍ନ ଉଠୁଛି—ଯଦି ସବୁ କିଛି ସ୍ପଷ୍ଟ ଓ ସଠିକ୍, ତେବେ ଏତେ ତରବରିଆ ଭାବେ ଆଗୁଆ ଜାମିନ୍ ନେବାର ଆବଶ୍ୟକତା କାହିଁକି ପଡ଼ିଲା? ପୁର୍ବତନ ଜେଲର ସନ୍ତୋଷିନି ଦାସଙ୍କ ଅଭିଯୋଗ ପରେ ଏହି ଘଟଣା ନୂଆ ମୋଡ଼ ନେଇଛି। ଯଦିଓ ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିନାହିଁ, କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଯାଇଛି। ଏକ ପକ୍ଷରୁ ଅଭିଯୋଗ, ଅନ୍ୟ ପକ୍ଷରୁ ଆଗୁଆ ଜାମିନ୍—ଏହି ସମସ୍ତ ଘଟଣା ପଛରେ କ’ଣ ରହିଛି, ତାହା ନେଇ ସନ୍ଦେହ ଗଢ଼ିଉଠୁଛି। ବର୍ତ୍ତମାନ ପ୍ରଶ୍ନ ହେଉଛି—ଏହା କେବଳ ଆଇନୀ ପ୍ରକ୍ରିୟାର ଅଂଶ, ନା ଏହା ପଛରେ ଅଧିକ ଗଭୀର କାହାଣୀ ଲୁଚିଛି? ତଦନ୍ତ ପରେ ମାତ୍ର ସତ୍ୟ ସାମ୍ନାକୁ ଆସିବ।