
ଭଞ୍ଜନଗର ୨୦/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବକ ଯୁବତୀ ଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ଭାସନ ଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଖୋଲୁଛି। ଏହି କ୍ରମରେ ଭଞ୍ଜନଗର ଉପଖଣ୍ଡ ତାଲିମ କେନ୍ଦ୍ର ସ୍ଥାନୀୟ ସିଟି ସ୍କୁଲ ପରିସରରେ ସୋମବାର ଲୋକାର୍ପିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ, ଖଣି ଓ ଇଷ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି କେନ୍ଦ୍ର ଦ୍ବାରା ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ମାଗଣାରେ ସିଭିଲ ସର୍ଭିସ ପାଇ କୋଚିଂ ନେଇ ପରିକ୍ଷାରେ କୃତକାର୍ଯ୍ୟ ହୋଇ ପାରିବେ। ଶାମୁକା ଭିତରେ ମୁକ୍ତା ଖୋଜି ଦକ୍ଷ ଅଧିକାରୀ ତିଆରି କରିବାରେ ଏହି ଅନୁଷ୍ଠାନ ମୁଖ୍ୟ ଭୂମିକା ନେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଏଠାରେ ୫୦ଜଣ ତାଲିମ ନେବା ବ୍ୟବସ୍ଥା ହୋଇଛି। ଦିଲ୍ଲୀର ଏକ ଅନୁଷ୍ଠାନ ଆଭାସୀ ମାଧ୍ୟମରେ ତାଲିମ ଦେବେ। ଏଥିସହ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡର ଦକ୍ଷ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବେ ବୋଲି ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ କହିଛନ୍ତି। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନୀଳମାଧଵ ପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ବିଡିଓ ଭାରତୀ ଦେବି, ତହସିଲଦାର ଅଭିପ୍ସା ପଟ୍ଟନାୟକ,ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।