ଫାର୍ମ ହାଉସରେ ଚାଲିଥିଲା କରତକଳ; ୩ଟି ବନ୍ଧୁକ ସହ ଲକ୍ଷାଧିକ ଟଙ୍କାର କାଠ ଜବତ

ଭଞ୍ଜନଗର ୨୩/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ଚଢାଉ କରି ବିପୁଳ କାଠ ସହ ଯନ୍ତ୍ରପାତି ଜବତ କରିଛି ବନବିଭାଗ। ଏହି ଘଟଣାରେ ଗାଙ୍ଗପୁର ପୋଲିସ ଦ୍ବାରା ଲମ୍ବୁ ତାରିଣୀଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଦେଶୀ ବନ୍ଧୁକ ସହ ଗୁଳି ଜବତ ହୋଇଛି। ଗିରଫ ଲମ୍ବୁ ନାମରେ ଜିଲା ତଥା ଜିଲା ବାହାର ଥାନାରେ ଏକାଧିକ ମାମଲା ରହିଛି। ଲମ୍ବୁକୁ ବହୁ ବର୍ଷ ପୂର୍ବେ ପୋଲିସ ଏନକାଉଣ୍ଟର କରି ଗିରଫ କରିଥିଲା। ଏହାପରେ ସେ ଜାମିନରେ ଆସି ଗ୍ରାମରେ ରହୁଥିଲେ। ଏହି ସମୟରେ ପୋଲିସ ଏବଂ ବନ ବିଭାଗ ବୁଧବାର ରାତିରେ ଲମ୍ବୁଙ୍କୁ ଗିରଫ କରିଛି। ଗୁରୁବାର ଲମ୍ବୁଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ବନ ବିଭାଗ ଏବଂ ପୋଲିସ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ।

ସୁଚନାନୁସାରେ, ଲମ୍ବୁ ନିଜ ଫାର୍ମ ହାଉସରେ ବହୁଦିନ ହେବ ବେନିୟମ ଭାବେ କରତକଳ ଚଳାଇଥିବା ପୋଲିସ ଏବଂ ବନ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ତେଣୁ ପୋଲିସ ଏବଂ ବନ ବିଭାଗ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ମିଳିତ ଭାବେ ଲମ୍ବୁଙ୍କ ଫାର୍ମ ହାଉସରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ କାଠ ମିଲରୁ ବିପୁଳ ପରିମାଣର ଶାଗୁଆନ ସମେତ ଅନ୍ୟାନ୍ୟ କାଠ ଜବତ ହୋଇଛି। ଏଥିସହ ପ୍ରାୟ ୭ ଲକ୍ଷ ଟଙ୍କାର ଏକ କାଠ ମିଲକୁ ମଧ୍ଯ ବନ ବିଭାଗ ଜବତ କରିଛି। ଏହି ଚଢ଼ାଉରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି,ଏସଡିପିଓ ଡ଼. ଦିପକ କୁମାର ମିଶ୍ର, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନାଙ୍କ ସମେତ ବିଭିନ୍ନ ଥାନାର କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।