ରଥଖଳା ହାଲ୍‌ଚାଲ୍‌ : ୧୪ ଫାସୀ ଗଡ଼ରୁ ୪୨ ତୁମ୍ବ ପ୍ରସ୍ତୁତ, ସପ୍ତମ ଦିନରେ ହେବ ବିନ୍ଧ ଅନୁକୂଳ

ପୁରୀ,୨୫/୦୪(ବଳରାମ ତ୍ରିପାଠି): ଚଳିତ ବର୍ଷ ଭଲ ଫାସୀ କାଠ ଆସିଥିଲା । ତୁମ୍ବ ପାଇଁ ବରାଦ ୨୨ ଗଡ଼ରୁ ୧୫ ଗଡ଼ ବଡ଼ଦାଣ୍ଡରେ ପହଞ୍ଚିଥିଲା । ସେଥିରୁ ୧୪ଟି ଫାସୀ ଗଡ଼ରୁ ୪୨ ତୁମ୍ବ ପ୍ରସ୍ତୁତ ହୋଇଗଲା । ବଳକା ଗୋଟିଏ କାଠ ଗଡ଼ ରଥ ଖଳାରେ ରହିଛି । କରତି ସେବକମାନେ ୪୨ ତୁମ୍ବ କାଟି ତିନି ରଥ ଖଳାକୁ ଯୋଗାଇଛନ୍ତି । ତୁମ୍ବ ଗୋଲେଇ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ବିଶ୍ୱକର୍ମା । ୭ ଦିନରେ ତୁମ୍ବରେ ବିନ୍ଧ ଅନୁକୂଳ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ରଥ ଅମିନ ଲକ୍ଷ୍ମଣ ମହାପାତ୍ର ।

ରଥ ନିର୍ମାଣରେ ଯୋଗଦେଲେ ଭାଇପୁଅ

ମୁଖ୍ୟ ବିଶ୍ୱକର୍ମା ଭାଇପୁଅଙ୍କୁ ମାହାର୍ଦ୍ଦ ଦେଇ ଡାକିଲା ପରେ ସେମାନେ ରଥ ନିର୍ମାଣରେ ଲାଗିଛନ୍ତି । ଭାଇପୁଅମାନେ ହେଉଛନ୍ତି ମୁଖ୍ୟ ବିଶ୍ୱକର୍ମାଙ୍କ ସହଯୋଗୀ । ବାରିସୀ ଚଳାଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ରଥ କାର୍ଯ୍ୟ ପାଇଁ ସେମାନେ ମନୋନୀତ ହୋଇଥାନ୍ତି । ବର୍ତ୍ତମାନ ରଥ ଖଳାରେ ପ୍ରଥମ ପର୍ଯ୍ୟାୟ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଛି । ରଥରେ ରହିଛି ନାହାକା, ପଡ଼ି ନାହାକା, ବଡ଼ ଉଛୁଳା ଓ ସାନ ଉଛୁଳା ଚକ । ଏସବୁ ପାଇଁ ତୁମ୍ବ କଟା କାର୍ଯ୍ୟ ଶେଷ । ନାହାକା ଚକ ରଥ ମଝିରେ ରହିବ । ନାହାକା ଚକ ଉପରେ ରଥ ଅଧିକ ଭାରା ରହିବ । ରଥତ୍ରୟର ୪୨ ଚକ ମଧ୍ୟରୁ ୨୬ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ତୁମ୍ବ ଗୋଲେଇ ସରିଲେ ସୂତା ବାଡ଼ିଆ ହୋଇ ବିନ୍ଧ ଅନୁକୂଳ ହେବ।

ଅଧିକ ପଢ଼ନ୍ତୁ :- ରଥଖଳା ହାଲ୍‌ଚାଲ୍… ୨୦ ଇଞ୍ଚ କାଠିରେ ୪୫ ଫୁଟର ରଥ ନିର୍ମାଣ, ମୁଖ୍ୟ ବିଶ୍ୱକର୍ମାଙ୍କ ହାତରେ ରହି ହୁକୁମ୍ ଦେଉଛି ହାତ କାଠି

ଆଗକୁ ଅର ଓ ପହି କାମ

ଆଗକୁ କରତକଳରୁ ଚିରଟ ହୋଇ ଅର ଓ ପହି କାଠ ରଥଖଳାରେ ପହଞ୍ଚିବ । ଚକ ପ୍ରସ୍ତୁତିକୁ ଚାହିଁ ଅର କଣ୍ଟା ତିଆରି ଚାଲିଛି ଦୋଳବେଦୀସ୍ଥିତ ଅସ୍ଥାୟୀ କମାର ଶାଳରେ । ତିନି ରଥର ଓଝା ସେବକମାନେ ଲୁହା ଛଡ଼ କାଟି ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଗୋଟିଏ ଚକରେ ୩୨ଟି ଅର କଣ୍ଟା ଲାଗିବ କୁହନ୍ତି କମାର ସେବକ । ୬/୭ ଇଞ୍ଚର ଅର କଣ୍ଟାର ମୁଣ୍ଡ ବୁଲି ଛତି ଭଳି ଆୟତାକାରେ ମୋଡ଼ା ଓ ନିମ୍ନ ଅଂଶ କ୍ରମଶଃ ସରୁ ଓ ମୁନିଆଁ ।

ଶୁକ୍ରବାର ବିଶ୍ୱକର୍ମା ୩୭ ଜଣ, ଭୋଇ ସେବକ ୧୯, କରତି ସେବକ ୪, କମାର ସେବକ ୬ ଓ ରଥଖଳା ସହାୟକ ଜଣଙ୍କୁ ମିଶାଇ ମୋଟ ୬୭ ଜଣ ରଥ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।