ପ୍ରଭାତଙ୍କ ଶକ୍ତି ପ୍ରଦର୍ଶନରେ ଚୌଦ୍ୱାର କଟକ ବିଜେପିରେ ଅସ୍ଥିରତା

ଚୌଦ୍ୱାର (ଶିବବ୍ରତ ଦାସ ):ରାଜ୍ୟସଭା ନିର୍ବାଚନ ପରଠୁ ରାଜ୍ୟର ରାଜନୀତିକ ମାହୋଲ ଗରମ ହୋଇଥିବା ବେଳେ, ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଗତକାଲି ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ହଜାର ହଜାର କର୍ମୀଙ୍କ ସହ ବିଶାଳ ବାଇକ୍ ଶୋଭାଯାତ୍ରାରେ ଆସି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ଏହି ଭିଡ଼ ଓ ଉତ୍ସାହର ମଧ୍ୟରେ ଏକ ଅଜଣା ଚିତ୍ର ସମ୍ମୁଖକୁ ଆସିଛି, ମଞ୍ଚ ଉପରେ ଭାଷଣ ସମୟରେ ସାମ୍ନାରେ ଅନେକ ଚେୟାର ଖାଲି ଦେଖାଯାଇଥିଲା। ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ବିଭିନ୍ନ ପ୍ରଶ୍ନ ଉଠାଇଛି। ମଞ୍ଚରୁ କିଛି ବିଜେଡି କର୍ମୀ ଓ ନେତାଙ୍କ ନାମ ଡାକାଯାଇଥିଲେ ମଧ୍ୟ ସେମାନଙ୍କର ମଞ୍ଚ ଉପରକୁ ନ ଆସିବା ଘଟଣାକୁ ନେଇ ଦଳୀୟ ମନମାଳିନ୍ୟ ନେଇ ଅନୁମାନ କରାଯାଉଛି। ଏହା ସହ କିଛି କର୍ମୀଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଖବର ମଧ୍ୟ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।ଏପରିସ୍ଥିତିରେ ପ୍ରଭାତ ବିଶ୍ୱାଳ ଓ ସୌଭିକ୍ ବିଶ୍ୱାଳଙ୍କ ଲୋକପ୍ରିୟତା ନେଇ କର୍ମୀ ସମ୍ମିଳନୀରେ ଜୋରଦାର ଶକ୍ତି ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ କହିବା ଅନୁଯାୟୀ, ଦିନ କିମ୍ବା ରାତି—ଜନସେବାରେ ସଦା ସକ୍ରିୟ ରହି ସମସ୍ତ କ୍ଷେତ୍ରରେ ସହଯୋଗ ଯୋଗାଇବାରେ ସେମାନେ ଆଗରେ ରହିଛନ୍ତି। ଏହି ସମସ୍ତ ଘଟଣା ପରେ ନିର୍ବାଚନ ମଣ୍ଡଳୀରେ ବିପକ୍ଷ ଶିବିରରେ ଅସ୍ଥିରତା ଦେଖିବାକୁ ମିଳୁଛି। କର୍ମୀମାନଙ୍କ କଥାରେ—“ନେତା ହେବେ ତ ପ୍ରଭାତ ବିଶ୍ୱାଳଙ୍କ ପରି।” ସମୁଦାୟ ଘଟଣା ଏବେ ଚୌଦ୍ଵାର-କଟକର ରାଜନୀତିକ ପରିସ୍ଥିତିକୁ ଆହୁରି ରୋଚକ କରିଦେଇଛି, ଆଗାମୀ ଦିନରେ ଏହା କେଉଁ ଦିଗକୁ ଯିବ—ସେଥିପାଇଁ ସମସ୍ତଙ୍କ ନଜର ରହିଛି।