
ହିଞ୍ଜିଳି ୦୬/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସୋସିଆଲ ମିଡିଆରୁ ପରିଚୟ…ମନ ଦିଆନିଆ, ଲୁଚିଛପି ପୁରୀରେ କଲେ ପ୍ରେମ ବିବାହ । ଉଭୟଙ୍କ ପ୍ରେମର ସନ୍ତକ ଝିଅଟିଏ ରହିଛି, ୪ ମାସର ଅନ୍ତଃସ୍ବତ୍ତା ଥିଲେ ମହିଳା । ସ୍ବାମୀକୁ ପାଇବା ପାଇଁ ଶାଶୂ ଘରେ ଧାରଣାରେ ବସିଥିବା ବେଳେ ଦିଅର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ । ଏଭଳି ଏକ ଛାତିଥରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମରେ । ମୃତ ମହିଳା ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ଅଞ୍ଚଳର ୨୧ ବର୍ଷୀୟ ପୂଜା ସ୍ଵାଇଁ ।
ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳବାର ହିଞ୍ଜିଳି ପୋଲିସ କେସ ନଂ- ୨୯୭/୨୬ରେ ଏକ ମାମଲା ରୁଜୁ କରିଛି । ଏଥିସହ ଗତ ସନ୍ଧ୍ୟାରେ ସାଇଣ୍ଟଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଦିଅରକୁ ଥାନାରେ ଅଟକ ରଖିଛି ।
ମୃତ୍ୟୁ ପୂର୍ବରୁ ପୂଜା ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ମୃତ ପୂଜା ସୋସିଆଲ ମିଡିଆ ଜରିଆରେ କେ. ଖରିଡା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ । ଏହା ପରେ ଦୁହେଁ ମିଳାମିଶା କରିଥିଲେ । ପରେ ଦୁହେଁ ପୁରୀ ଜିଲ୍ଲା ଡେଲାଙ୍ଗର ଏକ ଶିବ ମନ୍ଦିରରେ ବିବାହ କରିଥିଲେ । ଏପରିକି ଗତ କିଛି ମାସ ଧରି ଉଭୟ ପୁରୀରେ ଭଡ଼ା ଘରେ ରହୁଥିଲେ । ଉଭୟଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଏହାସହ ୪ ମାସର ଅନ୍ତଃସ୍ବତ୍ତା ଥିଲେ ମହିଳା ।’
ଉଭୟେ ପୁରୀରେ ରହୁଥିବା ବେଳେ ଗତ ୧୫ ଦିନ ତଳେ ଚିଣ୍ଟୁ ପରିବାର ଲୋକଙ୍କୁ ଦେଖା କରିବାକୁ କହି ମହିଳାଙ୍କୁ ଛାଡ଼ି ଚାଲିଯାଇଥିଲେ । ଏନେଇ ପୂଜା ନ୍ୟାୟ ପାଇବା ଆଶା ରଖି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ -୨୪୧/୨୬ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରିଥିଲା । ଏହାପରେ ମୃତା ମହିଳାଙ୍କ ଅଭିଯୋଗ କ୍ରମେ ଚିଣ୍ଟୁଙ୍କ ବାପା, ମା’ ଓ ଭଉଣୀଙ୍କୁ ଥାନାକୁ ଡାକି ଆପୋଷ ବୁଝାମଣା କରି ଛାଡିଥିଲା ।
ଗତ ସୋମବାର ମହିଳା ଜଣଙ୍କ କେ. ଖରିଡା ଯାଇ ସ୍ବାମୀଙ୍କ ଘର ବାରଣ୍ଡାରେ ଧାରଣା ଦେଇଥିଲେ । ଏହା ପରେ ଗତକାଲି(ମଙ୍ଗଳବାର) ଚିଣ୍ଟୁଙ୍କ ନାବାଳକ ସାନଭାଇ ପୂଜାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ମୃତଦେହ ପଡିଥିବା ବେଳେ ପାଖରେ ବସି କାନ୍ଦୁଥିଲା କୁନି ଝିଅ । ଏଭଳି ଘଟଣାଟି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ତ୍ବାବଧାନରେ ହତ୍ଯାକାଣ୍ଡର ଖୋଳତାଡ଼ ଜାରି ରଖିଛନ୍ତି ।