
ଚୌଦ୍ୱାର (ଶିବବ୍ରତ ଦାସ )ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଘଟିଥିବା ଗତକାଲିର ଘଟଣା ଏବେ ରାଜନୀତିରେ ନୂଆ ଚର୍ଚ୍ଚାର ଆଗୁନ ଲଗାଇଦେଇଛି। ଟାଙ୍ଗୀ ଥାନାରେ ବିଜେପି ନେତା ଅରିନ୍ଦମ୍ ରାୟ ଓ ଅଭୟ ବାରିକଙ୍କ ବିରୋଧରେ ଲିଖିତ ଅଭିଯୋଗ ପରେ ପ୍ରଶ୍ନ ଉଠୁଛି— ନେତାମାନେ ସତରେ ସେବା ପାଇଁ, ନା ପିସି ପାଇଁ? ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦାସଙ୍କ ଅଭିଯୋଗ ସହିତ ସରକାରୀ ଅଧିକାରୀଙ୍କ ମଧ୍ୟ ଲିଖିତ ଅଭିଯୋଗ ଘଟଣାକୁ ଆଉ ଗୁରୁତର କରିଛି। ଭାଇରାଲ ଭିଡିଓରେ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଦୃଶ୍ୟ ଦେଖି ସାଧାରଣ ଲୋକ ଭାବୁଛନ୍ତି—“ଏହା କଣ ନେତୃତ୍ୱ ନା ନାଟକର ନୂଆ ଏପିସୋଡ୍?” ସବୁଠୁ ଆଶ୍ଚର୍ଯ୍ୟର କଥା— ଗତକାଲି ପର୍ଯ୍ୟନ୍ତ ବିଜେଡି ବିଧାୟକଙ୍କୁ “ବାପ ତୁଲ୍ୟ” କହି ସମ୍ମାନ ଦେଉଥିଲେ, ସେମାନେ ଆଜି ହଠାତ୍ ଆକ୍ରୋଶର ନୂଆ ରୂପ ନେଇଛନ୍ତି। ରାଜନୀତିରେ ଏତେ ଶୀଘ୍ର ରଙ୍ଗ ବଦଳ—ଏହା କୌଣସି ନୂଆ କଳା କି? ଏହା ସହ ଆଉ ଏକ ବଡ଼ ପ୍ରଶ୍ନ— ମୋହନ ସରକାରଙ୍କୁ ବଦନାମ କରୁଛି କିଏ? ବିପକ୍ଷ, ନା ନିଜ ଦଳର କିଛି “ଓଭର୍ଆକ୍ଟିଭ୍” ନେତା? ବ୍ଲକ ବିଜେଡି ପକ୍ଷରୁ ତୁରନ୍ତ ଗିରଫ ଦାବି ସହିତ ସ୍ପଷ୍ଟ ଚେତାବନୀ— ଯଦି ସୋମବାର ସୁଦ୍ଧା ପୋଲିସ କାର୍ଯ୍ୟାନୁଷ୍ଠାନ ନେବେନି, ତେବେ ଶାନ୍ତିପୂର୍ଣ୍ଣ ଧାରଣା ଦେଖିvବାକୁ ମିଳିବ। ନେତାମାନେ ନିଜ ଛବି ଗଢ଼ୁଛନ୍ତି, ନା ସରକାରଙ୍କ ଛବିକୁ ଭାଙ୍ଗୁଛନ୍ତି? ତାହା ଏବେ ପ୍ରଶ୍ନ ଘେରରେ।