
ନୂଆପଡା, ତା. ୨୫/୦୫ (ପରମେଶ୍ୱର ମେହେର): ସମ୍ପ୍ରତି ଏକ ୟୁଟ୍ୟୁବ ଚ୍ୟାନେଲରେ ନୂଆପଡା ଅଟଳ ବସ ଷ୍ଟାଣ୍ଡର ଆକସ୍ମିକ ବ୍ୟୟ (Contingency Expenditure) ସମ୍ପର୍କରେ ଅର୍ଥ ଆତ୍ମସାତ୍ ଅଭିଯୋଗ ନେଇ ପ୍ରଚାରିତ ଖବରକୁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛି l
ପ୍ରଶାସନିକ ସ୍ୱଚ୍ଛତା ଏବଂ ଜନବିଶ୍ୱାସକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ ଘଟଣାର ସତ୍ୟାସତ୍ୟ ନିରପେକ୍ଷ ଓ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ତଦନ୍ତ ପ୍ରକ୍ରିୟାରେ ଖବରରେ ଦର୍ଶାଯାଇଥିବା ୧୨.୦୩.୨୦୨୬ ତାରିଖର ବିଲ୍ ସହ ସମ୍ପୃକ୍ତ ସମସ୍ତ ଇନଭଏସ୍, ହିସାବ ପତ୍ର, ଆର୍ଥିକ ରେକର୍ଡ ଏବଂ ଦଳିଲପତ୍ର ସବିଶେଷ ଯାଞ୍ଚ କରାଯାଇଥିଲା। ତଦନ୍ତରେ ସ୍ପଷ୍ଟ ହୋଇଛି ଯେ, ବିଲ୍ରେ ଉଲ୍ଲେଖିତ ରାଶି ସମ୍ପୃକ୍ତ ସପ୍ଲାୟରମାନଙ୍କ ଇନଭଏସ୍ ସହ ସଠିକ୍ ଭାବେ ମେଳ ଖାଉଛି ଏବଂ ଜିଏସଟି ରାଶି ମଧ୍ୟ ସମ୍ପୂର୍ଣ୍ଣ ନିୟମାନୁସାରେ ଯୋଗ କରାଯାଇଛି। ସମୁଦାୟ ବିଲ୍ ରାଶି ୬୦,୬୪୪ ଟଙ୍କା ସଠିକ୍ ଥିବା ତଦନ୍ତରେ ପ୍ରମାଣିତ ହୋଇଛି।
ତଦନ୍ତ ସମୟରେ ମେସର୍ସ ଜୈନ ଇନଭାଇରୋମେଣ୍ଟାଲ ସୋଲ୍ୟୁସନ୍, ପ୍ରେମକୁଞ୍ଜ କଲେକ୍ସନ୍ ଏବଂ ଆର୍.କେ. ହାର୍ଡୱେର୍ ଏଣ୍ଡ ଇଲେକ୍ଟ୍ରିକାଲ୍ ଷ୍ଟୋରର ଇନଭଏସ୍ଗୁଡ଼ିକୁ ମଧ୍ୟ ସ୍ୱତନ୍ତ୍ର ଭାବେ ଯାଞ୍ଚ କରାଯାଇଥିଲା ଏବଂ ସମସ୍ତ ହିସାବ ସଠିକ୍ ଓ ନିୟମସମ୍ମତ ଥିବା ନିଶ୍ଚିତ କରାଯାଇଛି। ଦାବିକୃତ ରାଶି ଓ ଇନଭଏସ୍ର ରାଶି ମଧ୍ୟରେ କୌଣସି ପ୍ରକାର ଅମେଳ, ଜାଲିଆତି କିମ୍ବା ଆର୍ଥିକ ଅନିୟମିତତା ମିଳିନାହିଁ।
ଏହି ତଦନ୍ତ ପରେ ଅଟଳ ବସ ଷ୍ଟାଣ୍ଡର ହିସାବରେ କୌଣସି ପ୍ରକାର ଅର୍ଥ ଆତ୍ମସାତ୍ ଘଟିନଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି। ତେଣୁ ସାମାଜିକ ମାଧ୍ୟମରେ ପ୍ରଚାରିତ ଅଭିଯୋଗଗୁଡ଼ିକ ଭିତ୍ତିହୀନ, ତଥ୍ୟବିହୀନ ଏବଂ ଭ୍ରାନ୍ତିକର ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରୁଛି ଯେ, କୌଣସି ଅଭିଯୋଗ ଆସିଲେ ତାହାର ନିରପେକ୍ଷ ତଦନ୍ତ କରିବା ଏବଂ ସତ୍ୟ ତଥ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ନୂଆପଡା ଜିଲ୍ଲା ପ୍ରଶାସନ ସଦା ସ୍ୱଚ୍ଛ, ଦାୟିତ୍ୱଶୀଳ ଓ ନିୟମାନୁସାରେ ପ୍ରଶାସନିକ କାର୍ଯ୍ୟ ସଂପାଦନ ପ୍ରତି ପ୍ରତିବଦ୍ଧ ରହିଛି।
ଉକ୍ତ ବିଲ୍ର ନକଲ କିପରି ବାହାରକୁ ଲିକ୍ ହେଲା ଏବଂ ଭ୍ରାନ୍ତିକର ତଥ୍ୟ ସହ ସାମାଜିକ ମାଧ୍ୟମରେ ଭାଇରାଲ୍ କରାଗଲା, ସେ ସମ୍ପର୍କରେ ମଧ୍ୟ ଆବଶ୍ୟକୀୟ ତଦନ୍ତ କରାଯିବ। ସାଧାରଣ ଲୋକଙ୍କ ମଧ୍ୟରେ ଭ୍ରମ ଓ ଅବିଶ୍ୱାସ ସୃଷ୍ଟି କରୁଥିବା ମିଥ୍ୟା ଏବଂ ଅପ୍ରମାଣିତ ତଥ୍ୟ ପ୍ରଚାର ବିରୋଧରେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।
ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ, ସୋସିଆଲ ମିଡିଆରେ ପ୍ରଚାରିତ ଯେକୌଣସି ଖବରକୁ ଯାଞ୍ଚ ବିନା ବିଶ୍ୱାସ ନକରି ସରକାରୀ ଏବଂ ପ୍ରମାଣିକ ସୂତ୍ରରୁ ତଥ୍ୟ ଗ୍ରହଣ କରନ୍ତୁ।
ଲୋକମାନଙ୍କ ବିଶ୍ୱାସ ଓ ପ୍ରଶାସନିକ ସ୍ୱଚ୍ଛତାକୁ ଅକ୍ଷୁଣ୍ଣ ରଖି ଭବିଷ୍ୟତରେ ମଧ୍ୟ ଜନହିତମୂଳକ ଏବଂ ଜବାବଦେହୀ ପ୍ରଶାସନିକ ବ୍ୟବସ୍ଥା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।