ନୂଆପଡ଼ାରେ ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

ନୂଆପଡ଼ା, ତାରିଖ : ୨୯/୦୫ (ପରମେଶ୍ୱର ମେହେର ): ନୂଆପଡ଼ା ଆବକାରୀ ଜିଲ୍ଲାର ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ (IMFL “OFF”) ଦୋକାନଗୁଡ଼ିକର ବଣ୍ଟନ ନିମନ୍ତେ ଆଜି ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଖୋଲା ଲଟେରି ପ୍ରକ୍ରିୟା ସଫଳତାର ସହ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି।

ଚଳିତ ବର୍ଷ ଜିଲ୍ଲାର ମୋଟ ୯ଟି ଆଇଏମଏଫଏଲ୍ “ଅଫ୍” ଦୋକାନ ଯଥା ଖଡ଼ିଆର ରୋଡ୍-୧, ଖଡ଼ିଆର ରୋଡ୍-୨, ବେଲଟୁକୁରି, ବୋଡେନ, ଖଡ଼ିଆର, କୋମନା, ଲଖନା, ନୂଆପଡ଼ା ଓ ସିନାପାଲି ଦୋକାନ ପାଇଁ ମୋଟ ୨୮୦ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ନୂଆପଡ଼ା ଦୋକାନ ପାଇଁ ସର୍ବାଧିକ ୧୦୬ଟି ଆବେଦନ ମିଳିଥିବା ବେଳେ ସିନାପାଲି ପାଇଁ ୫୦ଟି, କୋମନା ପାଇଁ ୪୦ଟି ଏବଂ ବୋଡେନ ପାଇଁ ୩୯ଟି ଆବେଦନ ଦାଖଲ ହୋଇଥିଲା।

ଲଟେରି ପ୍ରକ୍ରିୟା ୯ଟି ପର୍ଯ୍ୟାୟରେ ସମ୍ପନ୍ନ କରାଯାଇଥିଲା। ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ସମ୍ପୃକ୍ତ ଦୋକାନ ପାଇଁ ଅସ୍ଥାୟୀ ଭାବେ ମନୋନୀତ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ଲଟେରିରେ ମନୋନୀତ ଆବେଦନକାରୀଙ୍କ ଆବେଦନପତ୍ର ଓ ଅନ୍ୟାନ୍ୟ ଦଲିଲପତ୍ରର ଯାଞ୍ଚ ପରେ ଏବଂ ନିର୍ଦ୍ଧାରିତ ଫି ପ୍ରଦାନ କରିବା ପରେ ଲାଇସେନ୍ସ ପ୍ରଦାନ କରାଯିବ। ଲଟେରିର ଫଳାଫଳ ଇ-ଆବକାରୀ ପୋର୍ଟାଲରେ ମଧ୍ୟ ଅପଲୋଡ୍ କରାଯାଇଛି।

ଲଟେରି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରବେଶ ଦ୍ୱାରରେ କଡ଼ା ସୁରକ୍ଷା ଯାଞ୍ଚ (Frisking) ବ୍ୟବସ୍ଥା କରାଯାଇଥିବା ବେଳେ କେବଳ ଆବେଦନକାରୀ ଓ ସେମାନଙ୍କ ଅନୁମୋଦିତ ପ୍ରତିନିଧିଙ୍କୁ ସଭାଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଆବେଦନକାରୀଙ୍କ ସୁବିଧା ପାଇଁ ପ୍ରଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାର ବ୍ୟବସ୍ଥା କରାଯାଇଥିଲା। ଏହାସହ ସମଗ୍ର ଲଟେରି ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇ ସ୍ୱଚ୍ଛତାକୁ ସୁନିଶ୍ଚିତ କରାଯାଇଥିଲା।

ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ଆବେଦନକାରୀ, ପ୍ରଶାସନିକ ଅଧିକାରୀ ଓ ଆବକାରୀ ବିଭାଗର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଆବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଏସ୍‌ଡିପିଓ ଖୀରେଶ୍ୱର ସାହୁ, ଜିଲ୍ଲା ସୂଚନାବିଜ୍ଞାନ ଅଧିକାରୀ ବିନୟ କୁମାର ତିୱାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ଆବକାରୀ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।