
ଅହମଦାବାଦ (ଏଜେନ୍ସୀ): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୬ର ଯାତ୍ରା ଆଜି ଶେଷ ହୋଇଛି। ଗତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଯବନିକା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପଡ଼ିଛି, ଯେଉଁଠି ଗୁଜରାଟ ଟାଇଟନ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରାସ୍ତ କରି ଚାମ୍ପିଅନ ହୋଇଛି। ୧,୩୨,୦୦୦ରୁ ଅଧିକ ଦର୍ଶକ, କ୍ରୀଡ଼ାପ୍ରେମୀ, ପ୍ରଶଂସକ, କଳାକାରଙ୍କ ଉପସ୍ଥିତିରେ ବେଙ୍ଗାଲୁରୁ ଆଜି ଉଭୟ ବୋଲିଂ ଏବଂ ବ୍ୟାଟିଂ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ କରି ଫାଇନାଲ ମ୍ୟାଚ୍ ଜିତିବା ସହିତ ଚାମ୍ପିଅନ ହୋଇଛି। ଏଥି ସହିତ ବେଙ୍ଗାଲୁରୁ କ୍ରମାଗତ ଦ୍ବିତୀୟ ଥର ଆଇପିଏଲ୍ ଟ୍ରଫି ହାତେଇବାର ସୌଭାଗ୍ୟ ଅର୍ଜନ କରିଛି। ବେଙ୍ଗାଲୁରୁ ଟିମ୍ ୨୦୨୫ରେ ମଧ୍ୟ ଚାମ୍ପିଅନ ହୋଇଥିଲା।
ବେଙ୍ଗାଲୁରୁ ଟିମ୍ ୧୫୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୮ଓଭରରେ ୫ ୱିକେଟ୍ ହରାଇ ୧୬୧ ରନ୍ କରିଛି। ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୨ଟି ବଲ୍ ଖେଳି ଅପରାଜିତ ୭୫ ରନ୍ କରିଥିଲେ, ଯେଉଁଥିରେ ୯ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା। ଜିତେଶ ଶର୍ମା ଅପରାଜିତ ୧୧ ରନ୍ କରିଥିଲେ।
ପ୍ରାରମ୍ଭିକ ବ୍ୟାଟର ଭେଙ୍କଟେଶ ଆୟରଙ୍କ ସହିତ ବିରାଟ କୋହଲି ପ୍ରଥମ ୱିକେଟ୍ ପାଇଁ ୬୨ ରନ୍ର ଭାଗିଦାରୀ କରିଥିଲେ। ଏଥିରୁ ଆୟରଙ୍କ ବ୍ୟକ୍ତିଗତ ସ୍କୋର ୩୨ ରନ୍ ଥିଲା। ସେ ୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଅଧିନାୟକ ରଜତ ପାଟିଦାର ୧୩ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଦେବଦୂତ୍ତ ପାଡ୍ଡିକଲ ଏବଂ କ୍ରଣାଳ ପାଣ୍ଡ୍ୟା ୧-୧ ରନ୍ କରି ଆଉଟ୍ ହୋଇଥିଲେ। ଦଳର ଅନ୍ୟ ଖେଳାଳି ଟିମ୍ ଡେଭିଡ (୨୦ ରନ୍) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ।
ଫାଇନାଲ ମ୍ୟାଚ୍ରେ ଟସ୍ ଜିଣି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ ବ୍ୟାଟିଂ କରିଥିଲା। ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୫୫ ରନ୍ କରିଥିଲା। ଗୁଜୁରାଟର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ସ୍କୋର ୨୨ ରନ୍ରେ ଦଳ ଶୁଭମନ ଗିଲ ଏବଂ ୨୬ ରନ୍ରେ ସାଈ ସୁଦର୍ଶନଙ୍କୁ ହରାଇଥିଲା। ଗିଲ ବ୍ୟକ୍ତିଗତ ଭାବେ ୧୦ ରନ୍ ଏବଂ ସୁଦର୍ଶନ ୧୨ ରନ୍ କରିଥିଲେ। ନିଶାନ୍ତ ସିନ୍ଧୁଙ୍କ ବ୍ୟାଟରୁ ୨୦ ରନ୍ ଏବଂ ଜୋସ ବଟଲରଙ୍କ ବ୍ୟାଟରୁ ୧୯ ରନ୍ ଅମଳ ହୋଇଥିଲା। ଅର୍ଶଦ ଖାନ ୧୫ ରନ୍ କରିଥିଲେ। ରାହୁଲ ତେୱୋଟିଆ, ଜେସନ ହୋଲ୍ଡର ଏବଂ ରସିଦ ଖାନ ପ୍ରତ୍ୟେକ ୭ ରନ୍ ଲେଖାଏଁ ସଂଗ୍ରହ କରିଥିଲେ।
ଗୁଜରାଟ ପାଇଁ ଏକମାତ୍ର ଖେଳାଳି ୱାସିଂଟନ ସୁନ୍ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ିଆରେ ରହିପାରିଥିଲେ। ଜଣେ ପରେ ଜଣେ ଖେଳାଳି ପାଭିଲିଅନ ଫେରିଯାଉଥିବା ବେଳେ ୱାସିଂଟନ ସୁନ୍ଦର ବରଗଛ ଭଳି ଛିଡ଼ା ହୋଇଥିଲେ। ସେ ନିଜର ଧୈର୍ଯ୍ୟ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ୱାସିଂଟନ ସୁନ୍ଦର ୩୭ଟି ବଲ୍ ଖେଳି ୫ଟି ଚୌକା ସହାୟତାରେ ୫୦ ରନ୍ କରିଥିଲେ। ବେଙ୍ଗାଲୁରୁ ପାଇଁ ରସିକ ସାଲମ ଡାର ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ। ୪ ଓଭର ବୋଲିଂ କରି ୨୭ ରନ୍ ଖର୍ଚ୍ଚ କରିଥିଲା ବେଳେ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଭୁବନେଶ୍ବର କୁମାର ଏବଂ ଜୋସ ହେଜଲଉଡ ୨-୨ ୱିକେଟ୍ ନେଇଥିଲେ। କ୍ରୁଣାଳ ପାଣ୍ଡ୍ୟାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।