ରମ୍ଭା ଥାନା ପୋଲିସର ପ୍ରେସମିଟ: ମଧୁରଚୁଆ ଗ୍ରାମରେ ମହିଳାଙ୍କ ଘରୁ ସୁନା ଅଳଙ୍କାର ଟଙ୍କା ଚୋରି ଘଟଣା- ଉଦ୍ଧାର କଲା ରମ୍ଭା ଥାନା ପୋଲିସ : ଅଭିଯୁକ୍ତ ମହିଳା ଗିରଫ ସହ କୋର୍ଟ ଚାଲାଣ

    ରମ୍ଭା,୦୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳ ମଧୁରଚୁଆ ଗ୍ରାମରେ ଜଣଙ୍କ ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଥିବା ସହ ଚୋରି ସାମଗ୍ରୀକୁ ଜବତ କରିଥିବା ନେଇ ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେ଼ଇ ରମ୍ଭା ଥାନା ଗୃହରେ ପ୍ରେସମିଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
    ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ମଧୁରଚୁଆ ଗ୍ରାମର ମାଲବିକା ନାୟକ(୩୧) ।
    ଅଭିଯୋଗକାରୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ବିନ୍ଦୁ ନାୟକ(୩୦) ।
    ବିନ୍ଦୁ ଗତ ମଙ୍ଗଳବାର ଭୋରୁ ୫.୩୦ ମିନିଟ ସମୟରେ ପରିବାର ସହିତ ନିଜ ସାତ ବର୍ଷର ଝିଅକୁ ଘରେ ଏକୁଟିଆ ଛାଡ଼ି ପଦରକୁ କାମ କରିବାକୁ ଯାଇଥିଲେ ।ଝିଅ ସକାଳ ୬ ଘଣ୍ଟା ସମୟରେ କବାଟ ବନ୍ଦ କରି ଟିୟୁସନ ଚାଲି ଯାଇଥିଲେ ।ବିନ୍ଦୁ ନିଜ ପରିବାର ସହିତ ସକାଳ ୮ ଘଣ୍ଟା ସମୟରେ ଘରକୁ ଫେରିଥିଲେ ।ଅପରାହ୍ନ ୩ ଘଣ୍ଟା ସମୟରେ ଯେତେବେଳେ ବିନ୍ଦୁ ଆବଶ୍ୟକ ଟଙ୍କାକୁ ବାହାର କରିବାକୁ ଯାଇଥିଲେ ସେ ଟଙ୍କା ଅଳଙ୍କାର ରଖିଥିବା ବକ୍ସ ଖୋଜିଥିଲେ ।କିନ୍ତୁ ପାଇନଥିଲେ ।
    ବକ୍ସରେ ନଗଦ ୨୨ ହଜାର ଟଙ୍କା ସହ ୩ଯୋଡ଼ି ସୁନା କାନଫୁଲ,୨ଟି ସୁନା ଲକେଟ,୨ଟି ସୁନା ବଳା,ଗୋଟିଏ ସୁନା ଚେନ,ଗୋଟିଏ ମଙ୍ଗଳସୂତ୍ର,ରୂପାର ଅଣ୍ଟା ପଟିଆ,ଗୋଟିଏ ରୁପା ଚେନ ଥିଲା ।ବିନ୍ଦୁ ଦେଖେତ ସେସବୁ କିଛି ନାହିଁ ।ଏନେଇ ବିନ୍ଦୁ ରମ୍ଭା ଥାନାରେ ଅଭିଯୋଗ କରିବା ପରେ ରମ୍ଭା ଥାନା ପୋଲିସ କେଶ୍ ନଂ:୩୫୨/୨୬ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲେ ।ଆଜି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଆଇଆଇସି କୁମର ମୁଦୁଲିଙ୍କ ନେତୃତ୍ୱରେ ପୋଲିସ ଟିମ , ସାଇଣ୍ଟିଫିକ ଟିମ ,ପୋଲିସ ବିଭାଗ ତଦନ୍ତକାରୀ ସନ୍ଧାନୀ କୁକୁର ସହ ଚୋରି କରିଥିବା ମହିଳାଙ୍କ ଘରେ ଚଢ଼ାଉ କରିଥିଲେ ।ମାଳବିକା ନାୟକଙ୍କ ଘର ବାରିପଟୁ ଚୋରି ହୋଇଥିବା ନଗଦ ୧୫ ହଜାର ୩୬୨ ଟଙ୍କା ,୩ ଯୋଡ଼ି ସୁନା କାନଫୁଲ,୨ଟି ସୁନା ଲକେଟ,୨ଟି ସୁନା ବଳା,ଗୋଟିଏ ସୁନା ଚେନ,ଗୋଟିଏ ମଙ୍ଗଳସୂତ୍ର,ରୂପାର ଅଣ୍ଟା ପଟିଆ,ଗୋଟିଏ ରୂପା ଚେନ ଜବତ କରି ଅଭିଯୁକ୍ତ ମହିଳା ମାଳବିକା ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରମ୍ଭା ଥାନା ପୋଲିସ ।