
ଭଞ୍ଜନଗର ୯/୬: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଗ୍ରାମରେ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହେବାପରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉକ୍ତ ଗ୍ରାମକୁ ଗସ୍ତ କରି ନୂଆଁସାହି ଓ ଉସ୍ତ ସାହିରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଘରକୁ ଯାଇ ସ୍ବାସ୍ଥ୍ୟ ଅବସ୍ଥା ସଂର୍ପକରେ ପଚାରି ବୁଝିବା ସହ ପିଇବା ପାଣି ସଂର୍ପକରେ ଅନୁଧ୍ୟାନ କରିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ ନେଇଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡା.ବାଲୁଙ୍କେଶ୍ବର ଷଢଙ୍ଗୀଙ୍କ ନେତୃତ୍ବରେ ଜିଲ୍ଲା ମାହାମାରୀ ବିଶେଷଜ୍ଞ ମୁକେଶ ଚନ୍ଦ୍ର ମାଳି,ମାଇକ୍ରୋ ବାଓଲୋଜିଷ୍ଟ ଅପ୍ରଣିତା ସ୍ବାଇଁ,ରାଜେନ୍ଦ୍ର ସ୍ବାଇଁ,ଏଏନ୍ଏମ୍ ସବିତା ନିମାଲ ଓ ଆଶା କର୍ମୀ ମାନେ ଉପସ୍ଥିତ ରହିଥିଲେ। ଉକ୍ତ ଦୁଇ ସାହିର ମୋଟ ୬ ଜଣ ୧୩ ବର୍ଷରୁ କମ ପୁଅ ଝିଅ ଜଣ୍ଡିସ୍ ରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ୨ ଜଣଙ୍କ ନିକଟରେ ଲକ୍ଷଣ ରହିଥିବା ବେଳେ ଚିକିତ୍ସା ଜାରି ରହିଥିବା ସେମାନେ ପ୍ରକାଶ କରିଛନ୍ତି। ପ୍ରାଥମିକ ସ୍ତରରେ ଦୂଷିତ ପାଣି ବ୍ୟବହାର ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ପରୀକ୍ଷା ରିପୋର୍ଟ ପରେ ଜଣାପଡିବ ବୋଲି ସେ କହିଛନ୍ତି।
ଜଳଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଧାରିବାର ଆବଶ୍ୟକତା ରହିଛି। ନଦୀରୁ ପାଣି ଉଠାଯାଇ ଏହି ଗ୍ରାମକୁ ଜଳ ଯୋଗାଣ ହେଉଥିବା ବେଳେ ଇନ୍ଟେକୱେଲ୍ ଠାରୁ ଆରମ୍ଭ କରି ଷ୍ଟୋରେଜ ଟ୍ୟାଙ୍କ ପାଣି ରହୁଥିବା ସବୁ ସ୍ଥାନକୁ ବିଶୋଧନ କରିବା ପାଇଁ ଜରୁରୀ ବୋଲି ସେ ଜଣାଇଛନ୍ତି। କିଛି ସ୍ଥାନରେ ପାଣି ବାହାରୁଥିବା ନୋଜଲ ପଏଣ୍ଟ ଗ୍ରାଉଣ୍ଡ ଲେବଲରେ ରହିଥିବାରୁ ପିଈବା ପାଣି ସହ ଦୂଷିତ ପାଣି ମିଶିବାର ଆଶଙ୍କା ରହିଛି। ତେଣୁ ଜଳଯୋଗାଣ ସ୍ଥିତିକୁ ସୁଧାରିବା ପାଇଁ ଆମେ ବ୍ଳକ ପ୍ରଶାସନକୁ ଅବଗତ କରିବୁ ବୋଲି କହିଥିଲେ।ଏସଂକ୍ରାନ୍ତରେ ବିଡିଓ ଭାରତୀ ଦେବୀ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିିତି ନିୟନ୍ତ୍ରଣରେ ରହିଛି। ଆମେ ଖବର ପାଇ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲୁ। ସମସ୍ତ ଜଳ ପ୍ରକଳ୍ପକୁ ବିଶୋଧନ କରିବାକୁ କୁହାଯାଇଛି।