
ଭଞ୍ଜନଗର:୧୫/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଭଞ୍ଜନଗର ଥାନା ଅଧିନ ଦଶପଲ୍ଲା ମୁଖ୍ୟ ରାସ୍ତାର ତୁଳସୀପଲ୍ଲୀ ମନ୍ଦିର ସାମ୍ନାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ବାଇକ ଓ ସାଇକଲ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜାମପଲ୍ଲୀ ଗ୍ରାମର ଲଡୁ କିଶୋର ଗୌଡଙ୍କ ପୁଅ ଚନ୍ଦନ ଗୌଡ(୧୮)। ଏଥିସହ ବେଲଗୁଣ୍ଠା ବ୍ଳକ ଧୁମୁଛାଇ ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୪୨) ଏଥିରେ ଆହତ ହୋଇଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି। ଆଜି ମଧ୍ୟାହ୍ନ ସମୟରେ ଚନ୍ଦନ ନିଜ ସଂର୍ପକୀୟ ଘର ଖପରା ଗ୍ରାମକୁ ଯିବା ପାଇଁ ବାହାରିଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି। ସେ ଘର ଠାରୁ କିଛି ବାଟ ଯିବା ପରେ ତୁଳସୀପଲ୍ଲୀ ଗ୍ରାମର ମୁଖ୍ୟ ରାସ୍ତା ଏକ ମନ୍ଦିର ସମ୍ମୁଖରେ ଏକ ସାଇକଲ ସହ ଧକ୍କା ହେବାରୁ ସେ ରାସ୍ତା ଉପରେ କଚାଡି ହୋଇ ପଡିଥିଲେ। ଏହାପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଚନ୍ଦନକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏତଲାକ୍ରମେ କେସ ନମ୍ବର ୫୮୮/ ୨୬ ରେ ଏକ ମାମଲା ରୁଜୁ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟପଟେ ମୃତ ଯୁବକ ଚନ୍ଦନ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଗାଡି ଚାଳକ ଲଡୁ କିଶୋର ଗୌଡଙ୍କ ପୁଅ। ବିଧାୟକ ଶ୍ରୀ ନାୟକ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।