
ଜଗନ୍ନାଥ ପ୍ରସାଦ -୧୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ସେମାନଙ୍କୁ ଶାରୀରିକ ଭାବେ ସକ୍ଷମ କରିବା ଲକ୍ଷ୍ୟରେ ବିଡ଼ିପୁର ଗ୍ରାମରେ ବୁଧବାର ଏକ ଅତ୍ୟାଧୁନିକ ଜିମ ସେଣ୍ଟର ‘ନାରାୟଣୀ ଫିଟନେସ କ୍ଲବ’ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଉନ୍ନତମାନର ଫିଟନେସ କେନ୍ଦ୍ର ପ୍ରଥମ କରି ଖୋଲିଥିବାରୁ ସ୍ଥାନୀୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।ଏହି ନୂତନ ଜିମ ସେଣ୍ଟରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାସଂଦ ପ୍ରତିନିଧି ତଥା ସମାଜସେବୀ ଶ୍ରୀ ବିପ୍ର ଚରଣ ବାରିକ ଉଦଘାଟନ କରିଥିଲେ ଓ ପୂର୍ବତନ ଚେୟାରମେନ ଶ୍ରୀମତୀ ଗୀତାରାଣୀ ବାରିକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଏହି ଦୁଇ ମାନ୍ୟଗଣ୍ୟ ଅତିଥି ହେଉଛନ୍ତି ଉକ୍ତ ଫିଟନେସ କ୍ଲବର ମୁଖ୍ୟ ଜିମ ଟ୍ରେନର ପରେଶ କୁମାର ବାରିକ (ରାଜା) ଙ୍କ ମାତା ଓ ପିତା।ଏହି ଅତ୍ୟାଧୁନିକ ‘ନାରାୟଣୀ ଫିଟନେସ କ୍ଲବ’ରେ ଶରୀର ଗଠନ ଏବଂ ବ୍ୟାୟାମ ପାଇଁ ସମସ୍ତ ପ୍ରକାରର ନୂତନ ଯନ୍ତ୍ରପାତି ଯଥା- ଟ୍ରେଡମିଲ, କାର୍ଡିଓ ମେସିନ, ଡମ୍ବେଲ ଏବଂ ମଲ୍ଟି-ଷ୍ଟେସନ ୱର୍କଆଉଟ୍ ସେଟ୍ର ବ୍ୟବସ୍ଥା କରାଯାଇଛି। ଅଭିଜ୍ଞ ଟ୍ରେନର ପରେଶ କୁମାର ବାରିକ (ରାଜା)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠାରେ ଯୁବକଯୁବତୀମାନଙ୍କୁ ସ୍ୱତନ୍ତ୍ର ଫିଟନେସ ଗାଇଡଲାଇନ ପ୍ରଦାନ କରାଯିବ।ଉଦଘାଟନୀ ଅବସରରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ପାଇଁ ଶାରୀରିକ ବ୍ୟାୟାମ ନିହାତି ଜରୁରୀ। ଗାଁ ଗହଳିର ଯୁବପିଢ଼ିମାନେ ଏଣିକି ସହରକୁ ନଯାଇ ନିଜ ଗ୍ରାମରେ ହିଁ କମ୍ ଖର୍ଚ୍ଚରେ ସହର ଭଳି ଉନ୍ନତମାନର ଫିଟନେସ ସେବା ପାଇପାରିବେ। ଏହି କେନ୍ଦ୍ରଟି ଗ୍ରାମ ତଥା ଆଖପାଖ ଅଞ୍ଚଳର ଯୁବକଯୁବତୀଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖି ସ୍ୱାସ୍ଥ୍ୟ ଗଠନ ଦିଗରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ।