
ଦେବଗଡ଼ ୨୩/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ): ଦେବଗଡ଼ ଜିଲ୍ଲା ଓଡ଼ିଶା ଗଣମାଧ୍ୟମ ଜଗତରୁ ଆସିଛି ଏକ ଦୁଃଖଦ ଖବର । ସୁନାମଧନ୍ୟ ବରିଷ୍ଠ ସାମ୍ବାଦିକ ନବକିଶୋର ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ବ୍ରହ୍ମପୁର ନିଜ ବାସଭବନ ରେ ଅପରାହ୍ନ ୩ ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପାଖରେ ସ୍ତ୍ରୀ, ଝିଅ ମଧ୍ୟ ଉପସ୍ଥିତ ଥିଲେ l ପୁରୀ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ କରିଥିଲେ l ସାମ୍ବାଦିକତା ଜଗତରେ ଅପୂରଣୀୟ କ୍ଷତି ଦୀର୍ଘ ବର୍ଷର ସେବା ଶ୍ରୀଯୁକ୍ତ ମହାପାତ୍ର ନିଜର ଦୀର୍ଘ ସାମ୍ବାଦିକତା କ୍ୟାରିୟର ମଧ୍ୟରେ ଅନେକ ପ୍ରତିଷ୍ଠିତ ପ୍ରତିଦିନ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ସଫଳତାର ସହ କାର୍ଯ୍ୟ କରିଆସୁଥିଲେ । ଜଣେ ନିର୍ଭୀକ, ସ୍ପଷ୍ଟବାଦୀ ଏବଂ ଆଦର୍ଶବାଦୀ ସାମ୍ବାଦିକ ଭାବେ ଓଡ଼ିଶା ଗଣମାଧ୍ୟମ ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ସେ ସର୍ବଦା ଜଣେ ଦିଗଦର୍ଶକ ଓ ପ୍ରେରଣାର ଉତ୍ସ ସଦୃଶ ଥିଲେ । ଗଣମାଧ୍ୟମ ଜଗତରେ ଶୋକର ଛାୟା ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ସାରା ରାଜ୍ୟର ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ରାଜନୈତିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ଗଣମାଧ୍ୟମ ପ୍ରତିଷ୍ଠାନ ଓ ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଯାଇଛି । ତାଙ୍କର ନିଷ୍ଠାପର ସାମ୍ବାଦିକତା ଏବଂ ସମାଜ ପ୍ରତି ଥିବା ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।